କେନ୍ଦ୍ରାପଡାରେ ଦଶ଼ମଦିନ ପାଇଁ ଲକଡାଉନ ଜାରି
କେନ୍ଦ୍ରାପଡା : ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଦଶମଦିନ ପାଇଁ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖିବାକୁ ମିଳିଛି । ସହରର ରାସ୍ତାଘାଟ ସମେତ ୫ନମ୍ବର(କ) ଜାତୀୟ ରାଜପଥ ଶୁନଶାନ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ଆଜି ସହରର ରାସ୍ତାଘାଟରେ ସାଧାରଣ ଲୋକମାନଙ୍କୁ କୋଚିତ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଛତା ପଲିଟେକନିକ ସ୍କୁଲ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନା ନିକଟ ସଂଖ୍ୟାଲଘୁ ଛାତ୍ରାବାସରେ ଅଦ୍ୟାବଧି ମୋଟ ୧ହଜାରଟି ଆଇସୋଲେସନ ଶଯ୍ୟାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ଜିଲ୍ଲାର ଅସ୍ଥାୟୀ ପର୍ଯ୍ୟବେକ୍ଷଣ କେନ୍ଦ୍ର ଓ କୋଭିଡ ହସପିଟାଲରେ ୧୦୫୪୭ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କାର୍ଯ୍ୟ ଚାଲୁରହିଥିବା ବେଳେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ଗୋବରୀ କେନାଲବନ୍ଧ ରାସ୍ତାର ହନୁମାନ ମନ୍ଦିର ନିକଟରେ ଗାଡି ଗୁଡିକ ଯାଂଚ କରୁଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ନମ୍ବର – ୮୭୬୩୩୪୯୪୩୮ ରଖାଯାଇଛି ।


