କେନ୍ଦ୍ରାପଡାରେ ଦ୍ୱିତୀୟଦିନ ପାଇଁ ଲକଡାଉନ
କେନ୍ଦ୍ରାପଡା : ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡାରେ ମଧ୍ୟ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖାଯାଇଛି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କରାଯାଉଥିବା ବେଳେ କେବଳ ତେଜରାତି, ଔଷଧ, ଫଳ, ମାଂସ, ଚିକେନ, ଅଣ୍ଡା ପ୍ରଭୃତି ଦୋକାନକୁ ଛାଡିଦେଲେ ଅନ୍ୟସବୁ ଦୋକାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସହରଟା ଖାଁ ଖାଁ ଲାଗୁଛି । ଜନଗହଳି ନଥିବା ବେଳେ କେମିତି କେଉଁଠି କାଁ ଭାଁ କିଛି ଲୋକ ସଉଦା,ପରିବାପତ୍ର ଓ ଔଷଧ କିଣିବାକୁ ବାହାରକୁ ଆସିଥିବାର ଦେଖିବାକୁ ମିଳିଛି । ସରକାରଙ୍କ ସାମାଜିକ ଦୂରତା ବ୍ୟବସ୍ଥାକୁ ଅବଶ୍ୟ କିଛି ସ୍ଥାନରେ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ସହରର ତିନିମୁହାଣି ଁକରେ ଟାଉନ ଥାନା ଅଧିକାରୀଙ୍କ ନେତୃତ୍ୱରେ ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ଓ ପୋଲିସ ଫୋର୍ସ ମୃତୟନ ହୋଇ କଟକ – ଚାନ୍ଦବାଲି ରାସ୍ତାରେ ଦୁହୁରିଆ ଆଡୁ ସହର ଆଡକୁ ଆସୁଥିବା, ନୂଆବସଷ୍ଟାଣ୍ଡରୁ ତିନିମୁହାଣି ଛକ ଆଡକୁ ଆସୁଥିବା ଏବଂ ଗରାପୁର ଆଡୁ ତିନିମୁହାଣି ଆଡକୁ ଆସୁଥିବା ଗାଡି ଓ ବାଇକ ପ୍ରଭୃତିକୁ ଯାଂଚ କରୁଥିବା ଦେଖାଯାଇଛି । ପୁରୁଣା ବସଷ୍ଟାଣ୍ଡରେ ମାରୁଆଡିପଟି ପାଖରେ ଓ ସବରେଜିଷ୍ଟ୍ରାର ଅଫିସ ଗଳିରାସ୍ତା ନିକଟରେ ପୋଲିସ ପକ୍ଷରୁ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଛି ।