କେନ୍ଦ୍ରାପଡାରେ ନିଶାମୁକ୍ତି ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଗତ ୨୦୧୮ମସିହାରୁ ଆସନ୍ତା ୨୦୨୫ମସିହାରେ ନିଶା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ନିବାରଣ, ଚିକିତ୍ସା, ଥଇଥାନ ଓ ହାର ନିୟନ୍ତ୍ରଣ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାକୁ ଆଧାର କରି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚଳିତବର୍ଷ ଠାରୁ ୧୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ଅଧିନରେ ୧୧ରୁ ୧୮ବର୍ଷ ମଧ୍ୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଇ ନିଶା ନିବାରଣର ହାର କମାଇବା ପାଇଁ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମେ ନବଚେତନା-୧ରେ ଶିକ୍ଷକଙ୍କ ସଂପୃକ୍ତି, ନବଚେତନା-୨ରେ ମାନବ ସମ୍ବଳର ପ୍ରଶିକ୍ଷଣ ଓ ନବଚେତନା-୩ରେ ସ୍ୱେଛାସେବୀ ଅନୁଷ୍ଠାନ ଗୁଡିକର କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ବୁଧବାର ନବଚେତନା-୧ ଅଧିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରି ଏକ୍ଷେତ୍ରରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟରୁ ଆସିଥିବା ସମ୍ବଳ ଅଧିକାରୀ ଡଃ. ନିବେଦିତା ମହାନ୍ତି ଜୀବନରେ ଦକ୍ଷତାର ଆବଶ୍ୟକତା ଓ ବିଶ୍ୱରଞ୍ଜନ ଦାଶ ନିଶା ନିବାରଣ ପାଇଁ କିଭଳି ଭାବରେ ଶିକ୍ଷକମାନେ ପ୍ରଶିକ୍ଷଣ ପ୍ରଦାନ କରିପାରିବେ ଏବଂ ସମାଜକୁ ନିଶା ଠାରୁ ଦୂରେଇ ଦେଇ ପାରିବେ ସେ ସମ୍ପର୍କରେ ଏକ ଦୃଶ୍ୟପଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଏହି ଶିବିରରେ ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର ୧୦ଟି ସ୍କୁଲର ୫୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ