କେନ୍ଦ୍ରାପଡାରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି ହୋଇଥିଲେ । ବୁଧବାର ପ୍ରତ୍ୟୁଷରୁ ବାଲିପାଟଣାର ଲଛମନଜୀୟୁଙ୍କ ସହିତ ଅନ୍ୟ ସମସ୍ତ ବିମାନ ଏକାଠି ହେବା ପରେ ସେଠାରେ ଭୋଗଲାଗି କରାଯାଇଥିଲା । ଏହି ଅବସରରେ ପୁରୁଣା ବସ୍ଷ୍ଟାଣ୍ଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବାଲିପାଟଣାର ଲଛମନଜୀୟୁ,ଗଣାମାହାଲସ୍ଥିତ ବିନୋଦ ବିହାରୀ,ପାହାଡପୁର ମଠର ନୃସିଂହଜୀଉ, ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ବଣିଆମାଳର ନୃସିଂହନାଥ,ଗରାପୁରର ରଘୁନାଥଜୀଉ,ଗୁଲନଗରର ମଦନମୋହନ ଓ ବୁଢା ଗୋବିନ୍ଦଙ୍କ ସହିତ ପ୍ରାୟ ୧୭ଗୋଟି ବିମାନ ଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ଇଚ୍ଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ଛାମୁ ମେଳଣ ଶେଷ ହେବା ପରେ ଶ୍ରୀ ଲଛମନଜୀଉଙ୍କ ସମେତ ଅନ୍ୟ ବିମାନ ଗୁଡିକ ସହରର ବିଭିନ୍ନ ସ୍ଥାନରେ ଭୋଗ ଖାଇବା ପରେ ନିଜ ନିଜ ଅଞ୍ଚଳରକୁ ଫେରିଯାଇଥିଲେ । ଏହି ମେଲଣ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରଭୁ ଶ୍ରୀ ବଳଦେବଜୀଉ ଆଜି ମେଳଣ ଆୟୋଜନ କରି ହୋଲି ଖେଳିବାର ପରମ୍ପରା ରହିଛି । ତେଣୁ କେନ୍ଦ୍ରାପଡାର ଲୋକମାନେ ଆଜି ହୋଲି ଖେଳରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ବଳଦେବଜୀଉଙ୍କର ସ୍ୱତନ୍ତ୍ର ଫଗୁ ବେଶ ଅନୁଷ୍ଠିତ ହୋଇଥିଲା । ସହର ଓ ଆଖପାଖ ଅଞ୍ଚଳରେ ଲୋକମାନେ ଉତ୍ସାହର ସହ ଆଜି ହୋଲି ଖେଳିଛନ୍ତି । କେନ୍ଦ୍ରାପଡାରେ ଆଜି ଶାନ୍ତିଶୃଙ୍ଖଳାର ସହ ହୋଲି ଖେଳ ଶେଷ ହୋଇଛି ।