କେନ୍ଦ୍ରାପଡାରେ ପର୍ଯ୍ୟଟନର ପ୍ରଚାରପ୍ରସାର ପାଇଁ ଆଗେଇ ଆସିଲା ଓଡିଶା ଜନସେବା ସଂଗଠନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ସନ୍ଥପୁରାସ୍ଥିତ ଶ୍ରୀ ଶ୍ରୀ ଗର୍ଭେଶ୍ୱର ମନ୍ଦିର ଏକ ଐତିହାସିକ ଶୈବପୀଠ । ଏଠାକାର ପାତାଳୀ ଶିବଲିଙ୍ଗ ପତ୍ୟକ୍ଷ ଭାବରେ ନିଜର ଭକ୍ତମାନଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଏବଂ ନିକଟବର୍ତ୍ତୀ ଗ୍ରାମବାସୀଙ୍କର ବିଶ୍ୱାସ ରହିଛି । ଏହି ପୀଠଟି ଗୋବରୀ ନଦୀ କୂଳରେ ଅବସ୍ଥିତ । ଏହାର ଅନେକ ଗୁଡିଏ ମହାତ୍ମ୍ୟ ରହିଛି । ମନ୍ଦିର ନିର୍ମାଣ ସମୟରେ ଏହି ସ୍ଥାନରୁ ପ୍ରାଚୀନ ବୈାଦ୍ଧମୂର୍ତ୍ତି ଓ ଗଣେଶ ମୂର୍ତ୍ତି ,ପୁରାତନକାଳର ଇଟା ଓ ପଥର ଇତ୍ୟାଦି ମିଳିଥିଲା । ଗତ ୨୦୦୯ମସିହାରୁ ପର୍ଯ୍ୟଟନ ବିଭାଗ ଏହି ଶୈବପୀଠକୁ ମାନ୍ୟତା ଦେଇଥିଲେ ମଧ୍ୟ ଏଯାବତ ଏହା ପ୍ରଶାସନିକ ଉଦାସୀନତାର ଶୀକାର ହୋଇଥିବା ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପୀଠଟି ପ୍ରଚାର ଓ ପ୍ରସାର ଅଭାବରୁ ଜିଲ୍ଲାବାସୀ ଓ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଆସିବା ସହ ବିଭିନ୍ନ ସମସ୍ୟାରେ ଘାଂଟି ହେଉଛି । ତେଣୁ ଏସମସ୍ତ ସମସ୍ୟାର ସମାଧାନର ବାଟ ବାହାରକରିବା ନିମନ୍ତେ ଓଡିଶା ଜନସେବା ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟ,ବିକାଶ ସ୍ୱାଇଁ ଏବଂ ବିନୟ ଭୂଷଣ ନାୟକଙ୍କ ସମେତ ଏକ ୫ଜଣିଆ ପ୍ରତିନିଧି ଦଳ ଶ୍ରୀ ଗର୍ଭେଶ୍ୱର ମନ୍ଦିର ଟ୍ରଷ୍ଟର ମୁଖ୍ୟ ସେବକ ରାଜେନ୍ଦ୍ର ରାଉତ,ଅଚ୍ୟୁତାନନ୍ଦ ରାଉତ, ସ୍ଥାନୀୟ ସମିତିସଭ୍ୟ କ୍ଷେତ୍ରବାସୀ ନାୟକ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅଂଚଳର ବ୍ୟାପକ ପ୍ରଚାର ଏବଂ ପ୍ରସାର କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପର୍ଯ୍ୟଟନକ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ । ଏନେଇ ଜିଲ୍ଲା ପ୍ରଶାସନର ଖୁବଶୀଘ୍ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାପତି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।