କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ୯୫ଟି ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ସ୍ଥାନୀୟ ଟାଉନହଲରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶିବିରରେ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏହି ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅଧ୍ୟକ୍ଷତା କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୂର୍ଗାପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୯୫ଟି ଅଭିଯୋଗ ପଞ୍ଜିକୃତ କରାଯାଇଥିଲା । ସେଥିମଧ୍ୟରୁ ୬ଟି ସାମୂହିକ ଅଭିଯୋଗ ଥିବାବେଳେ ଅନ୍ୟ ୮୯ଟି ଅଭିଯୋଗ ବ୍ୟକ୍ତିଗତ ଥିଲା । ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ, ଭିନ୍ନକ୍ଷମ ଭତ୍ତା, ରାସନ କାର୍ଡ, ଶିକ୍ଷକ ନିଯୁକ୍ତି, ଜମି ବିବାଦ, ସ୍କୁଲ ଗୃହ ମରାମତି ଓ ବଦଳି ଦରଖାସ୍ତ ପ୍ରଭୃତି ରହିଥିଲା । ପେଣ୍ଠପାଳ ଗ୍ରାମପଞ୍ଚାୟତର ନାହିଆଡିହା ଗ୍ରାମର ସୁବାଷ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟ ଗ୍ରାମବାସୀମାନେ ବନ୍ୟାଜଳ ନିଷ୍କାସନ ଏବଂ ଗ୍ରାମ୍ୟ ରାସ୍ତା ନିର୍ମାଣ ସମ୍ପର୍କରେ ଅଭିଯୋଗ କରିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମର ସନ୍ତୋଷ ସାହୁ ଓ ଅନ୍ୟମାନେ ସରକାରୀ ଜମିରୁ ବେଆଇନ ଗଛକଟା ସମ୍ପର୍କରେ ଅଭିଯୋଗ କରିଥିଲେ । ଗରଦପୁର ବ୍ଲକର ପାଣ୍ଡିଆ ଗ୍ରାମର ଖାଲୁଆ ଜମିରୁ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ, ମାର୍ଶାଘାଇ ବ୍ଲକର ନାନକାର ଗ୍ରାମର ପ୍ରଭାତ କୁମାର ଦାସ ଓ ଅନ୍ୟମାନେ ବନ୍ୟା କ୍ଷୟକ୍ଷତି ପାଇଁ ସରକାରୀ ସହାୟତା ଏବଂ ନାନକାର ଓ ଜଳପୋକ ଅଙ୍ଗନୱାଡି କେନ୍ଦ୍ର ଅବରୋଧ ସମ୍ପର୍କରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏହା ବ୍ୟତୀତ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦରେ ବାରୋ ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମର ଜେନାମଣୀ ସ୍ୱାଇଁଙ୍କୁ ୫ହଜାର ଟଙ୍କା, ଧୂମାତ ଗ୍ରାମର ସିଲି ସାହୁଙ୍କୁ ୩ହଜାର ଟଙ୍କା, ନୂଆହାଟର ସ୍ନେହଲତା ରାଉତଙ୍କୁ ଶିକ୍ଷା ଓ ପୋଷଣ ନିମନ୍ତେ ୧୨ହଜାର ଟଙ୍କା, ବେଣୀପୁର ଗ୍ରାମର ଶୁଭଶ୍ରୀ ସାହୁଙ୍କୁ +୩ ଶ୍ରେଣୀରେ ନାମ ଲେଖାଇବା ପାଇଁ ୧୦ହଜାର ଟଙ୍କାର ଅର୍ଥରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ ।