କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରାଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ଓ ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ଭେଟି କେନ୍ଦ୍ରାପଡାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ପଞ୍ଚାୟତ ସମିତିରେ ଗୃହିତ କରାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଠାଇବାକୁ ନିବେଦନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳକୁ ନେଇ ଗଠିତ ହୋଇଥିବା ବେଳେ ୨୪୯ଟି ଗ୍ରାମପଞ୍ଚାୟତର ୧୫୯୨ଟି ରାଜସ୍ୱ ଗ୍ରାମରେ ୧୫ଲକ୍ଷ ଲୋକ ବାସକରନ୍ତି । ଏହି ଜିଲ୍ଲାରେ ମହାନଦୀ ଓ ବ୍ରାହ୍ମଣୀ ଦୁଇ ନଦୀ ପ୍ରଭାହିତ । ଯାହା ଫଳରେ ଅନେକ ଅଞ୍ଚଳରେ ଗମନାଗମନରେ ସମସ୍ୟା ଉପୁଜିଥାଏ । ଏହି ଜିଲ୍ଲା ଦେଇ ୫ନମ୍ବର(କ) ଜାତୀୟ ରାଜପଥ ଯାଇଥିବା ବେଳେ ସେହି ରାଜପଥରେ ଦୈନିକ ଦୂର୍ଘଟଣାମାନ ଘଟିଥାଏ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆମକୁ କଟକ ବଡ ଡାକ୍ତରଖାନା କିମ୍ବା ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡିଥାଏ । ଗୁରୁତର ରୋଗୀଟିକୁ ଏଠାରୁ କଟକ କିମ୍ବା ଭୁବନେଶ୍ୱର ନେବା ବେଳେ ଅନେକ ସମୟରେ ବାଟରେ ତାର ମୃତ୍ୟୁ ହୋଇଯାଇଥାଏ । ଏହି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର, ୯ଟି ଗୋଷ୍ଠି ଓ ୪୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ସେହିସବୁ ଡାକ୍ତରଖାନାରେ ଆବଶ୍ୟକତା ଠାରୁ ଯଥେଷ୍ଟ କମ ସଂଖ୍ୟକ ଡାକ୍ତର ଥିବାରୁ ରୋଗୀମାନେ ଉପଯୁକ୍ତ ସେବା ପାଇପାରନ୍ତି ନାହିଁ । ରାଜ୍ୟରେ ପୂର୍ବରୁ ୩ଟି ମେଡିକାଲ କଲେଜ ଥିବାବେଳେ ତାହା ଏବେ ୧୦ଟିକୁ ବୃଦ୍ଧି ପାଇସାରିଛି । ତେଣୁ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନିମନ୍ତେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଞ୍ଚାୟତ ସମିତି ସମେତ ବ୍ଲକର ୨୭ଟି ଗ୍ରାମପଞ୍ଚାୟତରେ ଏସମ୍ପର୍କରେ ଏକ ପ୍ରସ୍ତାବ ଗୃହିତ କରାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଠାଇବାକୁ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ଅଧ୍ୟାପକ ଅଜୟ ସାମଲ, ଭଜକୃଷ୍ଣ ରାଉତ, ଫକିର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ପ୍ରଦ୍ୟୁମ୍ନ କୁମାର ଜେନା, ଅମୀୟ କୁମାର ନାୟକ ପ୍ରମୁଖ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ନିବେଦନ କରିଥିଲେ ।