କେନ୍ଦ୍ରାପଡାରେ ସ୍ୱଛ ରଥଯାତ୍ରା ପାଇଁ ସଚେତନତା ଅଭିଯାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସ୍ୱେଛାସେବୀ ସଙ୍ଗଠନ “ମାଇଁ ଏନସିସି ଆଲୁମିନି ଆସୋସିଏସନ” ଏବଂ ପୁରୀ ଜିଲ୍ଲାର ପଞ୍ଜିକୃତ ସ୍ୱେଛାସେବୀ ସଙ୍ଗଠନ “ଆସୋସିଏସନ ଅଫ୍ ଟୁଇଟର ଆକ୍ଟିଭିଷ୍ଟ”(ଆଟା)ର ମିଳିତ ପ୍ରୟାସରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ କୋଟି କୈବଲ୍ୟ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡର ଅରୁଣସ୍ତମ୍ବ ପାଖରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସ୍ୱଛ ଏବଂ ପ୍ରଦୁଷଣମୁକ୍ତ ରଥଯାତ୍ରା ଭାବେ ପାଳନ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଆହ୍ୱାନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ରଥଯାତ୍ରା ଅବସରରେ ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣରେ ଉଭା ହେବେ । ଏଣୁ ଶ୍ରୀକ୍ଷେତ୍ର, ତୁଳସୀକ୍ଷେତ୍ର ଏବଂ ସମଗ୍ର ବିଶ୍ୱରେ ସ୍ୱଛତା ତଥା ପବିତ୍ରତା ରକ୍ଷା ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ନିବେଦନ କରାଯାଇଛି । ଏନେଇ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ଧରି ସମବେତ ଶ୍ରୀବଳଦେବଜୀଉଙ୍କ ଦର୍ଶନାର୍ଥୀମାନଙ୍କୁ ଚଳିତ ବର୍ଷ ରଥଯାତ୍ରାରେ ଅଳିଆ ଆବର୍ଜ୍ଜନା ରଥଦାଣ୍ଡ ଏବଂ ବଡଦାଣ୍ଡରେ ନପକାଇ ପୈାରସଂସ୍ଥା କିମ୍ବା ସ୍ୱେଛାସେବୀ ସଂଗଠନ ପକ୍ଷରୁ ରଖାଯାଇଥିବା ଆବର୍ଜ୍ଜନା କୁଣ୍ଡରେ ପକାଇବା ପାଇଁ ନିବେଦନ କରାଯାଉଥିବା ଦେଖିବାକୁ ମିଳିଥିଲା । ତତ୍‌ସହିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱେଛାସେବୀମାନେ ରଥଦାଣ୍ଡରୁ ଅଳିଆ ଆବର୍ଜ୍ଜନା ସଫା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଅନୁଷ୍ଠାନର କର୍ମକର୍ତ୍ତାମାନେ କୁହନ୍ତି ଯେ ରଥଯାତ୍ରା ଅବସରରେ ମହାପ୍ରଭୁ ସ୍ୱୟଂ ଶ୍ରୀବଳଦେବଜୀଉ ରତ୍ନ ହିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି । ଗୁଣ୍ଡିଚା ମନ୍ଦିରରେ ନବଦିନ ବ୍ୟାପି ଯାତ୍ରା ଚାଲେ । ଏଣୁ ଏଭଳି ପବିତ୍ର ଦିବସ ଅବସରରେ ସ୍ୱଛତା ଓ ପବିତ୍ରତାକୁ ଗୁରୁତ୍ୱ ଦିଆଯାଇଛି । କୋଟି କୋଟି ଜଗନ୍ନାଥ ଓ ବଳଦେବ ପ୍ରେମୀଙ୍କ ଉଦ୍ୟମରେ ହିଁ ସ୍ୱଛ ରଥଯାତ୍ରା -୨୦୨୩ ସମ୍ଭବ ହୋଇପାରିବ । ତେଣୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପ୍ରଚେଷ୍ଟାରେ ହିଁ ଏହା ସମ୍ଭବ ହୋଇ ପାରିବ ବୋଲି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ପ୍ରେମାନନ୍ଦ ଲେଙ୍କା, ରଶ୍ମୀରଞ୍ଜନ ମହାରଣା, ଅନୁପ ରାଉତ, ନବୀନ ସାହୁ, ରାଜକିଶୋର ଖୁଣ୍ଟିଆ, ଉମେଶ ଚନ୍ଦ୍ର ଜେନା, ଦେବ ପ୍ରସାଦ ସ୍ୱାଇଁ, ଦେବସ୍ମୀତା ଜେନା, ଶୁଭଶ୍ରୀ ବେହେରାଙ୍କ ସମେତ ବର୍ତ୍ତମାନର ଏନସିସି (ବାଳକ) ବିଭାଗର ବହୁ କ୍ୟାଡେଟ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ୨୦୨୩ରେ ସ୍ୱଛ ରଥଯାତ୍ରା ପାଳନ ନିମନ୍ତେ ଏହି ସଚେତନତାର ବାର୍ତ୍ତାକୁ ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ନିକଟରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ