କେନ୍ଦ୍ରାପଡାରେ ହେବ ରାଜ୍ୟ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଖଣ୍ଡବିଖଣ୍ଡିତ ମୃତବତ୍ ଓଡିଆ ଜାତିର ଧମନୀରେ ପ୍ରାଣ ସ୍ପନ୍ଦନ ସଞ୍ଚାର କରିବା ପାଇଁ ୧୯୦୩ ମସିହା ଡିସେମ୍ବରମାସ ୩୦ତାରିଖରେ କଟକର ଇଦ୍ଗା ପଡିଆରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୌରହିତ୍ୟରେ ଜନ୍ମ ନେଇଥିବା ଉତ୍କଳ ସମ୍ମିଳନୀ ଦୀର୍ଘ ୩ଦଶନ୍ଧିର ନିରବିଛିନ୍ନ ସଂଗ୍ରାମ ପରେ ଅଣଓଡିଆମାନଙ୍କୁ ପ୍ରଭାବିତ କରି ଦେଶକୁ ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ଦେବାକୁ ସଫଳ ହୋଇଥିଲା । ମାତ୍ର ଏବେ ଓଡିଆ ଅସ୍ମିତାର ପ୍ରତୀକ ତା’ର ସଂସ୍କୃତି, ଭାଷା, ସାହିତ୍ୟ, ପରମ୍ପରା ତଥା ତା’ର ଭୂଖଣ୍ଡର ଅବକ୍ଷୟ ଏହି ଜାତିର ଭବିଷ୍ୟତକୁ ସଂକଟ ମଧ୍ୟକୁ ଠେଲି ଦେଉଥିବା ବେଳେ ଐତିହ୍ୟ ସମ୍ପନ୍ନ ଉତ୍କଳ ସମ୍ମିଳନୀର ଗୁରୁ ଦାୟିତ୍ୱ ରହିଛି ବୋଲି ଏହାର ୧୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରାଧ୍ୟାପକ ମୋହନ ଚରଣ ଜେନା ମତବ୍ୟକ୍ତ କରିଛନ୍ତି । ସମ୍ମିଳନୀର କେନ୍ଦ୍ରାପଡା ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପୌରହିତ୍ୟରେ ପବ୍ଲିକ ରିଡିଂରୁମ୍ ପରିସରରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଡ. ବାସୁଦେବ ଦାସ ବିଗତ ଦିନର ବିବରଣୀ ପ୍ରଦାନ କରିଥିବା ବେଳେ ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ, ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ ଓ କଣ୍ଠଶିଳ୍ପୀ ଗୋଲକ ସେଠୀ ପ୍ରାରମ୍ଭିକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ସଭାରେ ପ୍ରାଧ୍ୟାପକ ସୁରେନ୍ଦ୍ରନାଥ ଆଚାର୍ଯ୍ୟ ଓ ଅଧ୍ୟାପକ ଅଜୟ ସାମଲ ମ୍ମାନୀତ ଅତିଥି ରୂପେ ଯୋଗଦେଇଥିବା ବେଳେ ଉପସଭାପତି ଧରଣୀଧର ସୁଆର, ଶିକ୍ଷକ ଶୁଭାଶୁଂ ଦାସ, ନୃସିଂହ ତ୍ରିପାଠୀ, ରାମକୃଷ୍ଣ ଦାସ, ରମଣୀରଞ୍ଜନ ରାଉତରାୟ, ପ୍ରଦୀପ ଦାଶ, ଆଶିଷ ସେନାପତି, ରାଜେଶ ବେଉରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ସଂଗଠନର ଅନୁରୋଧ ଆଧାରରେ ଆସନ୍ତା ଫେବୃୟାରୀ ତୃତୀୟ ସପ୍ତାହରେ କେନ୍ଦ୍ରାପଡାରେ ଉତ୍କଳ ସମ୍ମିଳନୀର ରାଜ୍ୟ ସମ୍ମିଳନୀ ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।


