କେନ୍ଦ୍ରାପଡାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟ ଜଳ ସଙ୍କଟ ତୀବ୍ରତର ହେବାରେ ଲାଗିଛି । ନଦୀ, ନାଳ ଓ ପୋଖରୀ ଗୁଡିକ ଶୁଖିଯାଉଥିବାରୁ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୨୪୯ଟି ପଞ୍ଚାୟତରେ ୧୭ହଜାର ୨୩୮ଟି ସଚଳ ନଳକୂପ ଥିବା ଗ୍ରାମୀଣ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏତଦବ୍ୟତୀତ ଏହି ୯ଟି ବ୍ଲକରେ ୩୭୬ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୨୪୭ଟି ଓଭରହେଡ ପାଣି ଟାଙ୍କିଦ୍ୱାରା ମଧ୍ୟ ଜଳଯୋଗାଣ ହେଉଥିବା ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ଷମ ଥିବା ୧୭ହଜାର ୨୩୮ଟି ନଳକୂପକୁ ବାଦ ଦେଲେ ମାତ୍ର ୧୪୭ଟି ନଳକୂପ ଅଚଳ ଥିବା ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ବାସ୍ତବରେ ବେସରକାରୀ ଭାବେ ଅଚଳ ନଳକୂପ ସଂଖ୍ୟା ବହୁ ଅଧିକ । ଜଳସ୍ତର କମିଯାଉଥିବାରୁ ବହୁ ନଳକୂପରୁ ଆଉ ପାଣି ବାହାରୁ ନାହିଁ । ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାଇପ ଯୋଗେ ଜଳ ଯୋଗାଣ ଏବଂ ଓଭରହେଡ ପାଣି ଟାଙ୍କିଗୁଡିକ ମଧ୍ୟ ମଝିରେ ମଝିରେ ଦୀର୍ଘ ସମୟ ଧରି ଅଚଳ ହୋଇପଡୁଥିବାରୁ ଲୋକମାନଙ୍କର ପାନୀୟ ଜଳ ସମସ୍ୟା ବୃଦ୍ଧି ପାଇଛି । ନଳକୂପ ନଥିବା କିମ୍ବା ନଳକୂପରେ ଲୁଣାପାଣି ପଡୁଥିବା ସମୁଦ୍ରକୂଳିଆ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଟ୍ୟାଙ୍କର ନଥିବାରୁ ଚିହ୍ନଟ ହୋଇଥିବା ଜଳକ୍ଳିଷ୍ଟ ଅଞ୍ଚଳକୁ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ସମ୍ଭବ ହୋଇପାରିନାହିଁ । ଫଳରେ ସେହିସବୁ ଜଳକ୍ଳିଷ୍ଟ ଅଞ୍ଚଳର ଲୋକମାନେ ଲୁଣାପାଣି ପିଇବା ସହିତ ଗାଡିଆ ପୋଖରୀରୁ ଦୂଷିତ ପାଣି ଓ ଶୁଖିଲା ପଡିଥିବା ନଦୀ ବାଲିରେ ଗାତ ଖୋଳି ପାନୀୟଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ୨ବଷତଳେ ଜିଲ୍ଲାର ବିଭିନ୍ନ ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଶତାଧିକ ଓଭରହେଡ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଡକା ଯାଇଥିଲା । କିନ୍ତୁ ଅବଧି ଶେଷ ହୋଇଥିବା ସତ୍ତ୍ୱେ ବିଭିନ୍ନ ବ୍ଲକରେ ଅଧିକାଂଶ ଓଭରହେଡ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଉଦାହରଣ ସ୍ୱରୂପ କେନ୍ଦ୍ରାପଡା ବ୍ଲକର ନିକିରାଇ ପଞ୍ଚାୟତର ପାଇକରାପୁର, ନିକିରାଇ ଏବଂ ହରିପୁରଠାରେ ୩ଟି ଓଭରହେଡ ପାଣି ଟାଙ୍କି ନିର୍ମାଣ ପାଇଁ ୨ବର୍ଷ ତଳେ ଟେଣ୍ଡର ହୋଇଥିଲା । ସେଥିମଧ୍ୟରୁ ପାଇକରାପୁର ଓଭରହେଡ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରତିଦିନ ୭ଘଣ୍ଟା ଓଭରହେଡ ପାଣି ଟାଙ୍କିରୁ ଜଳଯୋଗାଣ ପାଇଁ ବ୍ୟବସ୍ଥା ଥିବାବେଳେ ସେହି ଟାଙ୍କିରୁ ସକାଳେ ୧ଘଣ୍ଟା ଏବଂ ସନ୍ଧ୍ୟାରେ ୧ଘଣ୍ଟା ଜଳଯୋଗାଣ ହେଉଛି । ହରିପୁର ଖମାର ପଡିଆରେ ଓଭରହେଡ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ସେହି ଟାଙ୍କିକୁ ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ସେହି ପାଣି ଟାଙ୍କିଟି କାର୍ଯ୍ୟକ୍ଷମ ହୋଇପାରିନାହିଁ । ନିକିରାଇ ବାଳିକା ହାଇସ୍କୁଲ ପାଖରେ ନିର୍ମାଣାଧିନ ଟାଙ୍କିର କେବଳ ମୂଳଦୁଆ ପକାଇ ସମ୍ପୃକ୍ତ ଠିକାଦାର ସେହି ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି । ଏ ସମ୍ପର୍କରେ ବ୍ଲକ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ, ବିଭାଗୀୟ ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେହି ଟାଙ୍କିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉନାହିଁ କିମ୍ବା ହରିପୁର ଖମାର ପଡିଆରେ ନିର୍ମିତ ଓଭରହେଡଟାଙ୍କିକୁ ବିଦ୍ୟୁତ ସଂଯୋଗ କରାଯାଉନାହିଁ । ଯାହାଫଳରେ କି ଏହପଞ୍ଚାୟତର ପ୍ରାୟ ୫ହଜାର ଲୋକ ଜଳକଷ୍ଟ ଭୋଗ କରୁଛନ୍ତି । ଏହାବ୍ୟତୀତ ୨ବର୍ଷ ତଳେ ଯେଉଁ ଓଭରହେଡ ପାଣି ଟାଙ୍କିଗୁଡିକ ନିର୍ମାଣ ପାଇଁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା ସେହି ଟାଙ୍କି ମଧ୍ୟରୁ କେତୋଟି ଟାଙ୍କିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ତାହାର ହିସାବ ବିଭାଗ ପାଖରେ ନଥିବା ଜଣାପଡିଛି । ଅଚଳ ନଳକୂପଗୁଡିକୁ ସଚଳ କରାନଗଲେ, ଓଭରହେଡ ପାଣି ଟାଙ୍କିଗୁଡିକର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ସେଥିରେ ବିଦ୍ୟୁତ ସଂଯୋଗ କରାଯାଇ ଲୋକମାନଙ୍କୁ ଜଳଯୋଗାଣ କରାନଗଲେ ଜିଲ୍ଲାର ହଜାର ହଜାର ଲୋକ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନାହିଁଁ ନଥିବା ଜଳ କଷ୍ଟ ଭୋଗ କରିବେ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲାର ୨୪୯ଟି ପଞ୍ଚାୟତରେ ଯେଉଁ ୧୭ହଜାର ୨୩୮ ନଳକୂପ, ୩୭୬ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୨୪୭ ଓଭରହେଡ ପାଣି ଟାଙ୍କି ରହିଛି ସେଥିମଧ୍ୟରୁ ଆଳି ବ୍ଲକରେ ୨ହଜାର ୨୮୯ ସଚଳ ନଳକୂପ, ୪୬ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୨୪ଟି ଓଭରହେଡ ପାଣି ଟାଙ୍କି ରହିଛି । ସେହିଭଳି ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତରେ ୧୯୨୫ ସଚଳ ନଳକୂପ, ୪୫ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୩୭ଟି ଓଭରହେଡ ପାଣି ଟାଙ୍କି ରହିଛି । ଗରଦପୁର ବ୍ଲକର ୧୮ଟି ପଞ୍ଚାୟତରେ ୧୭୩୫ ସଚଳ ନଳକୂପ, ୩୭ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ଟି ଓଭରହେଡ ପାଣି ଟାଙ୍କି ରହିଛି । କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତରେ ୨୧୫୭ ସଚଳ ନଳକୂପ, ୪୭ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୩୧ଟି ଓଭରହେଡଟାଙ୍କି ରହିଛି । ମହାକାଳପଡା ବ୍ଲକର ୩୧ଟି ପଞ୍ଚାୟତରେ ୨୧୩୫ଟି ସଚଳ ନଳକୂପ, ୨୯ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ଟି ଓଭରହେଡଟାଙ୍କି ରହିଛି । ମାର୍ଶାଘାଇ ବ୍ଲକର ୨୪ଟି ପଞ୍ଚାୟତରେ ୧୫୪୪ ସଚଳ ନଳକୂପ, ୪୨ଟପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୨୭ଟି ଓଭରହେଡଟାଙ୍କି ରହିଛି । ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତରେ ୧୭୮୪ଟି ସଚଳ ନଳକୂପ, ୪୮ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୪୪ଟି ଓଭରହେଡ ଟାଙ୍କି ରହିଛି । ରାଜକନିକା ବ୍ଲକର ୨୯ଟି ପଞ୍ଚାୟତରେ ୧୭୯୩ ସଚଳ ନଳକୂପ, ୪୪ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୨୭ଟି ଓଭରହେଡଟାଙ୍କି ରହିଛି । ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ ୧୮୭୬ ସଚଳ ନଳକୂପ, ୩୮ଟି ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଏବଂ ୨୩ଟି ଓଭରହେଡଟାଙ୍କି ରହିଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


