କେନ୍ଦ୍ରାପଡାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଇଡର ମାରାଥନ ପ୍ରୟାସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ‘ରାଇଡ’ ତାର ମାରାଥନ ପ୍ରୟାସ ଜାରିରଖିଛି । ଏହି ଅବସରରେ ରାଇଡ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସହଯୋଗରେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶାଘାଇ ଠାରେ ଏକ ୧୫ଦିନିଆ କୃତ୍ତିମ ଜୁଏଲାରୀ ପ୍ରସ୍ତୁତି ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ରାଇଡର ସମ୍ପାଦକ କିଶୋର କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଶିବିରରେ ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ, ମାର୍ଶାଘାଇ ବିଡିଓ ଉମାଶଙ୍କର ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରିତିଲତା ପାଢୀ, ଓଡିଶା ଜୀବିକା ମିଶନର ବ୍ଲକ ପ୍ରୋଗ୍ରାମ ଅଧିକାରୀ ସଞ୍ଜନା ସାଗରିକା ପଣ୍ଡା, ବ୍ଲକ ସ୍ତରୀୟ ସଂଯୋଜକ ସଭଦର୍ଶିନୀ ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହିତ ପ୍ରଶିକ୍ଷାର୍ଥିୀ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ବାହାରେ କୃତିମ ଜୁଏଲାରୀ ଓ ବିନ୍ଦିର ଚାହିଦା ରହିଥିବାରୁ ଏସବୁ ମହିଳାମାନେ ତିଆରି କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ କହିଥିଲେ । ଏହି ଉଦଯାପନୀ ଉତ୍ସବରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ତିଆରି କରିଥିବା ବିଭିନ୍ନ କୃତିମ ଜୁଏଲାରୀ,ଷ୍ଠୋନ ବିନ୍ଦି, ମଙ୍ଗଳସୁତ୍ର, ଷ୍ଠୋନ ରାକ୍ଷୀ, ବ୍ରେସଲେଟ, ଠାକୁରଙ୍କ ମୁକୁଟ ପ୍ରଭୃତି ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ସ୍ୱୟଂ ସହାୟିକା ଗୋଷ୍ଠିର ୩୦ଜଣ ମହିଳା ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।


