କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁପରିଚାଳନା ପାଇଁ ତୁରନ୍ତ ପରିଚାଳନା ମଣ୍ଡଳି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସୁପରିଚାଳନା ନିମନ୍ତେ ତୁରନ୍ତ ଏକ ପରିଚାଳନା ପରିଷଦ ଗଠନ କରିବାକୁ ବ୍ୟାଙ୍କର ପ୍ରାକ୍ତନ ପରିଚାଳନା ମଣ୍ଡଳିର ନିର୍ଦେଶକ ଓ ଅଂଶୀଦାରମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି । କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ଗତ ୧୯୮୬ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୮୮ମସିହା ଫେବୃୟାରୀମାସ ୨୪ତାରିଖରୁ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମେ ୫୨୩ଜଣ ସଦସ୍ୟଙ୍କୁ ନେଇ ୫୭ହଜାର ଟଙ୍କା ଜମାରାଶିରେ ଜଣାଶୁଣା ବରିଷ୍ଠ ଆଇନଜୀବି ତଥା ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ଏକ ମହାନ ଲକ୍ଷ୍ୟ ନେଇ ଆମ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିଲା । ସେହି ମହାନ ବ୍ୟକ୍ତି ତଥା ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ମହାନ୍ତିଙ୍କ ନେତୃତ୍ୱରେ ଶେଷ ୩୨ବର୍ଷ ମଧ୍ୟରେ ବ୍ୟାଙ୍କ ୨୮୦କୋଟି ଟଙ୍କାର ବ୍ୟବସାୟ କରି ଏକ ସଫଳ ବ୍ୟବସାୟୀକ ସଂସ୍ଥା ଭାବେ ରାଜ୍ୟରେ ସୁନାମ ଆଣିପାରିଥିଲା । ଏଥିସହିତ ବ୍ୟାଙ୍କର ସଦସ୍ୟ ତଥା ଅଂଶୀଦାରଙ୍କ ସଂଖ୍ୟା ବଢି ୨୫ହଜାରରେ ପହଁଚି ପାରିଛି । ଏହି ବ୍ୟାଙ୍କର ୬ଟି ଶାଖା ବିଭିନ୍ନ ସ୍ଥାନରେ ଖୋଲାଯାଇ ସମାଜର ନିମ୍ନସ୍ତରରେ ଥିବା ଏହି ଜିଲ୍ଲାର ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଏହାସହ ବ୍ୟାଙ୍କ ତାର ପରିସୀମା ବୃଦ୍ଧି କରି ପଡୋଶୀ ଜିଲ୍ଲା ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ତାହାର ଶାଖା ଖୋଲିବାକୁ ଅନୁମତି ପ୍ରାପ୍ତ ହୋଇସାରିଛି । ଏହି ବ୍ୟାଙ୍କ ସିଧାସଳଖ ଭାବେ ପ୍ରାୟ ୧୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଥିବା ବେଳେ ପାଖାପାଖି ଏକଲକ୍ଷ ଲୋକଙ୍କୁ ସେମାନଙ୍କ ଜୀବନଜୀବିକା ପାଇଁ ସହାୟତା ଓ ଋଣ ପ୍ରଭୃତି ଯୋଗାଇଦେଇପାରିଛି । ବର୍ଷ ବର୍ଷ ଧରି ଏହି ବ୍ୟାଙ୍କ ଲଗାତର ଭାବରେ ସମସ୍ତ ଆର୍ଥିକ ନୀତି ନିୟମ ଆଧାରରେ ଏକ ଲାଭଜନକ ଆର୍ôଥକ ସଂସ୍ଥା ଭାବରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ରାଜ୍ୟର ସର୍ବୋତ୍ତମ ଅର୍ବାନ ବ୍ୟାଙ୍କ ଭାବେ ପ୍ରତିଷ୍ଠା ଲାଭ କରିପାରିଛି । ଗତ ୨୦୧୯ମସିହା ଡିସେମ୍ବରମାସ ୭ତାରିଖରେ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ମହାନ୍ତିଙ୍କ ବିୟୋଗ ପରେ ପରେ ଏହି ବ୍ୟାଙ୍କ ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହୋଇଯିବାରୁ ବ୍ୟାଙ୍କର ପରିଚାଳନା ଭାର ରାଜ୍ୟ ସମବାୟ ସମିତିସମୁହର ନିବନ୍ଧକଙ୍କ ପତ୍ର ସଂଖ୍ୟା – ୪୮୩୫ ତା ୧୫.୦୨.୨୦୨୦ରିଖ ନିର୍ଦେଶ ଅନୁଯାଇ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ଗତ ୨୦୨୦ ମହିହା ଫେବୃୟାରୀମାସ ଠାରୁ ନ୍ୟସ୍ତ କରାଯାଇଛି । ଅର୍ଥନୈତିକ ଅବମୂଲ୍ୟାୟନ ଯୋଗୁଁ ଗତ ୨ବର୍ଷ ଧରି ସାରାଦେଶରେ ବ୍ୟାଙ୍କିଂ ସିଷ୍ଟମ ସମ୍ପୂର୍ଣ୍ଣ ନଷ୍ଟହେବାକୁ ବସିଥିବା ବେଳେ ଏଭଳି ପରିସ୍ଥିତିରେ ବ୍ୟାଙ୍କର ପ୍ରଶାସନିକ ପରିଚାଳନା ବ୍ୟବସ୍ଥା ଜଣେ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଯୋଗୁଁ କୋଭିଡ ପାଣ୍ଡାମିକ ସମୟରେ ନିଜର ଦୈନନ୍ଦିନ ପ୍ରସାସନିକ କାର୍ଯ୍ୟ ତୁଲାଇବା ପରେ ବ୍ୟାଙ୍କର ପରିଚାଳନାଗତ କାର୍ଯ୍ୟ ତୁଲାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଫଳରେ ଲଗାତ୍ତର ଭାବେ ଆବଶ୍ୟକ ଦୃଷ୍ଟି ଓ ନୀରିକ୍ଷଣର ଅଭାବରୁ ବ୍ୟାଙ୍କର ଅଭିବୃଦ୍ଧିରେ ଆଂଚ ଆସିବାରେ ଲାଗିଛି । ନୂତନ ଋଣ ମଞ୍ଜୁରୀ ଓ ବ୍ୟାଙ୍କର ଆବଶ୍ୟକ ବ୍ୟବସାୟରେ ବାଧକ ଯୋଗୁଁ ବ୍ୟାଙ୍କର ସି.ଡି. ରେସିଓ ଅପ୍ରାତ୍ୟାଶିତ ଭାବେ ହ୍ରାସପାଇବାରେ ଲାଗିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କର ୪୦କୋଟି ଟଙ୍କା ବ୍ୟବସାୟରେ ବିନିଯୋଗ ହୋଇନପାରି ଅନ୍ୟବ୍ୟାଙ୍କରେ ଏହି ବ୍ୟାଙ୍କ ଜମାକାରୀଙ୍କୁ ପ୍ରଦାନ କରୁଥିବା ସୁଧ ଠାରୁ କମ ପରିମାଣର ସୁଧରେ ପଡିରହିଥିବା ମଧ୍ୟ ଅଭିଯୋଗ ହୋଇଛି । ବ୍ୟାଙ୍କର ଲାଭାଂଶ ଉପରେ ଏହା ଗୁରୁତ୍ତର ପ୍ରଭାବ ପକାଉଥିବା ଅଭିଯୋଗ ହୋଇଛି । ସଠିକ ସମୟରେ ବ୍ୟାଙ୍କର ଲଗାତ୍ତର ଋଣଗ୍ରହୀତାମାନଙ୍କୁ ଋଣ ସହାୟତା ମଞ୍ଜୁରୀ ଓ ବୃଦ୍ଧି ପ୍ରଦାନରେ ଅହେତୁକ ବିଳମ୍ବ ହେତୁ ଅନ୍ୟ ବ୍ୟାଙ୍କ ତୁଳନାରେ ଏହି ବ୍ୟାଙ୍କ ତାର ବ୍ୟବସାୟରେ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ବ୍ୟାଙ୍କ ତାର ଅଂଶୀଦାରମାନଙ୍କ ପ୍ରତ୍ୟାଶା ଭରସା ହରାଇବା ସହ ବ୍ୟାଙ୍କର ଦକ୍ଷତା ଉପରେ ମଧ୍ୟ ଆଂଚ ଆସୁଛି । ଆମର ଅର୍ଥନୈତିକ ବ୍ୟବସ୍ଥା ଉପରେ କୋଭିଡର ଗୁରୁତ୍ତର ପ୍ରଭାବ ପଡିଥିବା ବେଳେ ଦିନକୁ ଦିନ ଏହି ବ୍ୟାଙ୍କ ମଧ୍ୟ ସେଥିରେ ପ୍ରଭାବିତ ହୋଇଛି । ଏହି ସମୟ ମଧ୍ୟରେ ବ୍ୟାଙ୍କର ଯାହା କ୍ଷତି ହୋଇଛି ସେହି କ୍ଷତିକୁ ଭରଣା କରିବା ପାଇଁ ଆମକୁ ଉଚିତ ପଦକ୍ଷେପ ନେବାର ସମୟ ଆସିଛି । ତେଣୁ ଆଉ କାଳବିଳମ୍ବ ନକରି ବ୍ୟାଙ୍କର ଦାୟୀତ୍ୱ ଏକ ନିର୍ବାଚିତ ପରିଚାଳନା ପରିଷଦ ହାତରେ ନ୍ୟସ୍ତ କରିବାକୁ ଅଥବା ବ୍ୟାଙ୍କ ପରିଚାଳନା କ୍ଷେତ୍ରରେ ଦକ୍ଷ ଥିବା ବ୍ୟାଙ୍କର ସଦସ୍ୟମାନଙ୍କୁ ନେଇ ଏକ ମନୋନ୍ୱିତ କମିଟି ଏହି ଅଗ୍ରଣୀ ବ୍ୟାଙ୍କର ସୁପରିଚାଳନା ପାଇଁ ଗଠନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଏହାଦ୍ୱାରା ରାଜ୍ୟର ଏକ ଅଗ୍ରଣୀ ଅର୍ବାନ ବ୍ୟାଙ୍କ ନିରାପଦ ଓ ସଫଳତାର ସହିତ ଆଗକୁ ଅଭିବୃଦ୍ଧି ପଥରେ ଆଗେଇପାରିବ ବୋଲି ବ୍ୟାଙ୍କ ପରିଚାଳନା ପରିଷଦର ପୁରାତନ ନିର୍ଦେଶନାମଣ୍ଡଳି ଓ ବ୍ୟାଙ୍କ ଅଂଶୀଦାରମାନଙ୍କ ପକ୍ଷରୁ ଫକିର ଚରଣ ଖଟୁଆ, ମହମ୍ମଦ ଆକବର ଅଲ୍ଲୀ, ମହେନ୍ଦ୍ର କୁମାର ପରିଡା, ବସନ୍ତ କୁମାର ସେଠୀ, ଶ୍ରୀକାନ୍ତ ନାୟକ, ତରୁଣରଞ୍ଜନ ପ୍ରଧାନ, ବିଧୁଭୂଷଣ ମହାପାତ୍ର, ଦୁଃଖିଶ୍ୟାମ ଜେନା, ସନାତନ ମୁଦୁଲି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ବିଭାଗର ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।