କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୨୭ତମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ବ୍ୟାଙ୍କର ୨୭ତମ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିର ସଭା ଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପସଭାପତି ଡଃ. ଅପର୍ଣ୍ଣା ମହାନ୍ତି, ନିର୍ଦେଶକ ଡଃ. ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ମହେନ୍ଦ୍ର କୁମାର ପରିଡା, ସଂଗ୍ରାମ କେଶରୀ ମଲିକ, ଶ୍ରୀକାନ୍ତ ନାୟକ, ବିଧୁଭୂଷଣ ମହାପାତ୍ର, ନବଜ୍ୟୋତି ରାୟ, ରଶ୍ମୀରଞ୍ଜନ ଚୈାଧୁରୀ, ସୁଧାଂଶୁ ଶେଖର ପ୍ରତାପ, କଳ୍ପତରୁ ମହାପାତ୍ର, ଶୁକାନ୍ତ କୁମାର ଦ୍ୱିବେଦୀ, ଅମୁଲ୍ୟ କୁମାର ପ୍ରଧାନ, ସିଦ୍ଧାର୍ଥ ଶଙ୍କର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଉତ୍କଳ ଗୈାରବ ମଧୁସୁଦନ ଦାସ ଓ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସଭାକୁ ଉଦଘାଟନ କରିଥିଲେ । ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ ତେନେ କହିୟେ ଯେ’ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ସଭାପତି ବ୍ୟାଙ୍କର ବିଗତ ଦିନର କାର୍ଯ୍ୟକଳାପ, ବର୍ତ୍ତମାନର କାର୍ଯ୍ୟକ୍ରମ ଓ ଭବିଷ୍ୟତରେ ବ୍ୟାଙ୍କର ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ଚଳିତ ବ୍ୟାଙ୍କ ପରିଚାଳନା ପରିଷଦର ସଦସ୍ୟ/ସଦସ୍ୟାମାନଙ୍କ ସହଯୋଗରେ କର୍ମଚାରୀମାନଙ୍କ ସହିତ ସମନ୍ୱୟ ରକ୍ଷାକରି ବ୍ୟାଙ୍କର ଜମାକାରୀ, ଋଣଗ୍ରହୀତା, ସାଧାରଣ ଅଂଶୀଦାର ସଭ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଆଗାମୀ ଦିନରେ ବ୍ୟାଙ୍କର ଅଧିକ ଶାଖା ଖୋଲି ନିଯୁକ୍ତି ସୁଯୋଗ ସୃଷ୍ଟି କରି ସମସ୍ତଙ୍କର ବିଶ୍ୱାସ ଭାଜନ ହେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ତାଙ୍କ ପ୍ରତି ଭରସା ଓ ବିଶ୍ୱାସ ସ୍ଥାପନ କରି ନିର୍ଦେଶକ ଭାବେ ନିର୍ବାଚିତ କରିବା ସହିତ ସର୍ବସମ୍ମତି କ୍ରମେ ନିରଙ୍କୁଶ ଭାବେ ସଭାପତି ରୂପେ ଦାୟୀତ୍ୱ ଅର୍ପଣ କରିଥିବାରୁ ବ୍ୟାଙ୍କର ଅଂଶୀଦାର ସଭ୍ୟ ଓ ନିର୍ଦେଶକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜୀବଲୋଚନ ପଣ୍ଡା ପୂର୍ବ ସାଧାରଣ ସଭାର ବିବରଣୀ ପାଠ କରିଥିଲେ । ତାହା ଠିକ ଭାବରେ ଲିପିବଦ୍ଧ ହୋଇଥିବାରୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୦-୨୧, ୨୦୨୧-୨୨ଓ ୨୦୨୨-୨୩ ପାଇଁ ବ୍ୟାଙ୍କର ଆୟବ୍ୟୟ ଅଟ୍ଟକଳ ସମ୍ପର୍କରେ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ପାଠ କରିବା ପରେ ତାହା ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । ଏଥିସହିତ ୨୦୧୯-୨୦,୨୦୨୦-୨୧ ଓ ୨୦୨୧-୨୨ ବର୍ଷର ଅତିରିକ୍ତ ଆୟବ୍ୟୟ ଅଟ୍ଟକଳକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ୨୦୧୯-୨୦,୨୦୨୦-୨୧ ଓ ୨୦୨୧-୨୨ ବର୍ଷର ବୈଧାନିକ ସମୀକ୍ଷା (ଅଡିଟ ରିପୋର୍ଟ) ବିଶଦ ଭାବରେ ମୁଖ୍ୟ ନିର୍ବାହୀ ଅଧିକାରୀ ପାଠ କରିଥିଲେ । ସେହି ଅଡିଟ ରିପୋର୍ଟରେ ଉଲ୍ଲିଖିତ ବହୁ ତଥ୍ୟ ଭିତ୍ତିକ ଅସଙ୍ଗତି ଥିବାର ଲକ୍ଷକରି ଓ ତତ୍କାଳୀନ ପରିଚାଳନା ପରିଷଦର ସଭ୍ୟମାନଙ୍କ ଦକ୍ଷତା, ସ୍ୱଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାରୁ ଆଜିର ସାଧାରଣ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ବ୍ୟାଙ୍କକୁ ବଦନାମ କରିବା ଉଦେଶ୍ୟରେ ପ୍ରସ୍ତୁତ ଏଭଳି ଅଡିଟ ରିପୋର୍ଟକୁ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ ଅଗ୍ରାହ୍ୟ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନିର୍ଦେଶକ ଫକିର ଚରଣ ଖଟୁଆ, ପ୍ରଦୀପ କୁମାର ମହାନ୍ତି, ମୁକ୍ତାର ଖାଁ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ମହମ୍ମଦ ଆକବର ଅଲ୍ଲୀ,ପ୍ରଫୁଲ୍ଲ ସାହୁ, ଶକ୍ତିକାନ୍ତ ପାତ୍ର, ହଳଧର ସେଠୀ, ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ବ୍ୟାଙ୍କର ପ୍ରଗତି କାମନା କରି ବିଭିନ୍ନ ପରାମର୍ଶ ଦେଇଥିଲେ । ଶେଷରେ ଉପସଭାପତି ଡଃ. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।