କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ବେଆଇନ ବାଲି ଚାଲାଣ ଉପରେ ମିଳିତ ଚଢାଉ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ବେଶ କିଛି ଦିନ ହେବ ଦିନ ଦିପହରରେ ଖୁଲମ ଖୁଲା ଭାବରେ ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି । ପ୍ରଶାସନ ଏସବୁ ଜାଣି ନଜାଣିବା ପରି ଚୁପ ହୋଇ ବସିରହିଛି । ବାଲି ଚୋରା ଚାଲାଣ ସମ୍ପର୍କରେ ବିଭିନ୍ନ ସମୟରେ ପ୍ରଶାସନକୁ ଖବର ମିଳୁଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇ ଆସୁଛି । ଆଜି କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ତମାଳଶାସନ ଏବଂ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ନିଳକଣ୍ଠପୁର ଅଞ୍ଚଳରେ ବାଲି ଚୋରା ଚାଲାଣ ସମ୍ପର୍କରେ ସଂପୃକ୍ତ ତହସିଲଦାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରୁ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଏବଂ କେନ୍ଦ୍ରାପଡା ତହସିଲଦାର ତାପସରଞ୍ଜନ ଦେହୁରୀ ୨ଟି ବାଲି ବୋଝେଇ ହାଇୱା ଜବତ କରିଥିବା ବେଳେ ସେମାନଙ୍କ ନିକଟରୁ ରୟାଲିଟି ସମେତ ଜୋରିମାନା ଆଦାୟ କରାଯିବ ବୋଲି କେନ୍ଦ୍ରାପଡା ତହସିଲଦାର ଶ୍ରୀ ଦେହୁରୀ କହିଛନ୍ତି । ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅମୃତମଣୋହୀ, ପେଣ୍ଠପାଳ, ତରଡିପାଳ ଓ ଅଳପୁଆ ପ୍ରଭୃତି ୪ଟି ବାଲିଘାଟ ନିଲାମ କରାଯାଇଥିବା ବେଳେ ଅନ୍ୟ ବାଲି ଘାଟ ଗୁଡିକରୁ ଦିନ ଦିପହରରେ ବେଆଇନ ଭାବେ ବାଲି ଚୋରା ଚାଲାଣ ଦୈନନ୍ଦିନ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ରାଜନୈତିକ ଛତ୍ରଛାୟା ତଳେ ରହି ଏଭଳି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଛି । ବେଳେ ବେଳେ ତହସିଲ ପକ୍ଷରୁ ଚଢାଉ କରାଯାଇ ଗୋଟିଏ କିମ୍ବା ଦୁଇଟି ଗାଡିକୁ ଧରି ଜୋରିମାନା କରାଯାଉଥିବା ବେଳେ ଦୈନିକ ଶହ ଶହ ଗାଡି ଏଭଳି ବାଲି ଚୋରା ଚାଲାଣରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି । ତେଣୁ ବାଲି ଘାଟକୁ ଆଉ କେହି ନିଲମ ନନେଇ ଏଭଳି ଭାବରେ କୋଟି କୋଟି ଟଙ୍କା ରୋଜଗାର କରିବାର ବାଟ ଫିଟିଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।


