କେନ୍ଦ୍ରାପଡା କଲେଜରେ ସାମ୍ବିଧାନିକ ଦିବସ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ମଙ୍ଗଳବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ନିଜ ନିଜର ଅଭିଭାଷଣ ପ୍ରଦାନ କରି ସମ୍ବିଧାନର ଗୁରୁତ୍ୱ ଓ ପ୍ରସ୍ତାବନା ସମ୍ପର୍କରେ ଆଲୋକପାତ କରିଥିଲେ । ଉପାଧକ୍ଷ ଶ୍ରୀ ବେହେରା ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତାବନା ପାଠ କରାଇଥିଲେ । ଅଧ୍ୟାପକ ନିହାର ପ୍ରସାଦ ନାୟକ ସମ୍ବିଧାନର ଗଠନ ଓ ଉତ୍ସ ବିଷୟରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ସାହୁ ସମ୍ବିଧାନର ଧାରା ଏବଂ ଅନୁସୂଚି ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ମୋନାଲିସା ଦାସ ସମ୍ବିଧାନର ସ୍ଥିତି ଓ ସାମ୍ପ୍ରତିକ ସମୟରେ ଏହାର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ପ୍ରସ୍ତାବନା ପାଠକରିବା ସହିତ ସମ୍ବିଧାନ ବିଷୟରେ ନିଜ ନିଜର ମତ ରଖିଥିଲେ । ଛାତ୍ରଛାତ୍ରୀମାନେ କିପରି ସମ୍ବିଧାନର ନୀତି ନିୟମ ଏବଂ ନିଜର ମୈାଳିକ କର୍ତ୍ତବ୍ୟ ସମ୍ପାଦନ କରିବେ ସେ ସମ୍ପର୍କରେ ଉପାଧ୍ୟକ୍ଷ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।