କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ବୀମା ପରାମର୍ଶଦାତା ନିଯୁକ୍ତି ମାମଲା

ମେ ୩ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିରେ ବୀମା ପରାମର୍ଶଦାତା ନିଯୁକ୍ତି ସମ୍ପର୍କିତ ଅଭିଯୋଗ ଉପରେ ଓଡିଶା ହାଇକୋର୍ଟରେ ଚାଲିଥିବା ମାମଲାରେ ହାଇକୋର୍ଟ ଆସନ୍ତା ମଇମାସ ୩ତାରିଖ ସୁଦ୍ଧା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସମବାୟ ସମିତି ସମୁହର ରେଜିଷ୍ଟ୍ରାର ଏବଂ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପ୍ରଶାସକ ତଥା ସମବାୟ ସମିତି ସମୁହର ଡେପୁଟୀ ରେଜିଷ୍ଟ୍ରାର(କ୍ରେଡିଟ)ଙ୍କୁ ନିର୍ଦେଶ ଦେଇଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭ୍ୟ ଭାଗିରଥୀ ଜେନା, ଚକ୍ରଧର ସ୍ୱାଇଁ, ସୁରେଶ ଚନ୍ଦ୍ର ସ୍ୱାଇଁ, ଗୋଲେଖ ଚନ୍ଦ୍ର ପଢିଆରୀ, ଭାବଗ୍ରାହୀ ବେହୁରା ଓ ମୀର ମୁଜିବ ବକ୍ସ ପ୍ରମୁଖ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି(ପି.ଆଇ.ଏଲ.)ନଂ – ୮୮୨୨/୨୦୨୧ରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିରେ ପରାମର୍ଶଦାତା ନିଯୁକ୍ତି ବିରୋଧରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ଆବେଦନକାରୀଙ୍କ ପକ୍ଷର୍‌ୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନା କରାଯାଇଥିଲା ଯେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଗତ ୨୦୧୦ମସିହା ମାର୍ଚ୍ଚମାସ ୨ତାରିଖରେ ଅଧିବେସନ(ରିଜୋଲୁସନ) ଅନୁଯାଇ ସ୍ୱର୍ଗତ କମଳାକାନ୍ତ କରଙ୍କୁ ବୀମା ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ରିଜୋଲୁସନ ବଳରେ ନିଯୁକ୍ତ ବୀମା ପରାମର୍ଶଦାତା ବର୍ଷକୁ କୋଟି କୋଟି ଟଙ୍କା ସମବାୟ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ଅଗୋଚରରେ କମିଶନ ଆକାରରେ ନେଇଯାଉଥିଲେ । ଯାହାକି କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଲିଃ. ଏବଂ ସେହି ସୋସାଇଟିର ସଭ୍ୟମାନଙ୍କ ସ୍ୱାର୍ଥ ବିରୋଧୀ ଥିଲା । ଏସମ୍ପର୍କରେ ଆବେଦନକାରୀ ସଭ୍ୟମାନେ ବାରମ୍ବାର ସମବାୟ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଗତ ୨୦୨୦ମସିହା ସେପ୍ଟେମ୍ବରମାସ ୩୦ତାରିଖରେ ସେହି ସୋସାଇଟିର ବହୁ ସଦସ୍ୟ କର୍ପୋରେଟ ଏଜେନ୍ସି ନିୟମ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିରେ ପ୍ରଚଳନ କରିବାକୁ ପ୍ରଶାସକଙ୍କୁ ଲିଖିତ ଭାବେ ନିବେଦନ କରିଥିଲେବି ସେହି ନିବେଦନକୁ ବିଚାରକୁ ନିଆଯାଇନଥିବା ବେଳେ ଗତ ୨୦୨୦ମସିହା ଅକ୍ଟୋବରମାସ ୯ତାରିଖରେ ସୋସାଇଟିର ପୂର୍ବତନ ବୀମା ପରାମର୍ଶଦାତା ସ୍ୱର୍ଗତ କମଳାକାନ୍ତ କରଙ୍କ ପତ୍ନୀ ରଶ୍ମିପ୍ରଭା ପାଣିଙ୍କୁ ନୂତନ ବୀମା ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହି ପ୍ରସଙ୍ଗରେ ପୁନର୍ବାର ଉପରୋକ୍ତ ସଦସ୍ୟମାନେ ୨୦୨୦ମସିହା ଅକ୍ଟୋବରମାସ ୧୨ତାରିଖରେ ରାଜ୍ୟ ସମବାୟ ସମିତି ସମୁହର ରେଜିଷ୍ଟ୍ରାର ଏବଂ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପ୍ରଶାସକ ତଥା ସମବାୟ ସମିତି ସମୁହର ଡେପୁଟୀ ରେଜିଷ୍ଟ୍ରାର(କ୍ରେଡିଟ)ଙ୍କ ନିକଟରେ ଅଭିଯୋଗ କରିଥିଲେବି ସେହି ଅଭିଯୋଗ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେଣୁ ବାଧ୍ୟ ହୋଇ ଅଭିଯୋଗକାରୀମାନେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଡବ୍ଲୁପିସି(ପି.ଆଇ.ଏଲ.)ନଂ – ୮୮୨୨/୨୦୨୧ରେ ଦାୟର କରିଥିଲେ । ଚଳିତମାସ ୯ତାରିଖରେ ସେହି ରିଟପିଟିସନର ବିଚାର କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ. ଏସ. ମୁରଲୀଧର ଓ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ରାଜ୍ୟ ସମବାୟ ସମିତି ସମୁହର ନିବନ୍ଧକ ଏବଂ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପ୍ରଶାସକ ତଥା ସମବାୟ ସମିତି ସମୁହର ଉପନିବନ୍ଧକ(କ୍ରେଡିଟ)ଙ୍କୁ ଆସନ୍ତା ମଇମାସ ୩ତାରିଖ ସୁଦ୍ଧା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ