କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭସାଣୀ ଉତ୍ସବ ଶେଷ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ଭସାଣୀ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ଜିଲ୍ଲା ଶାନ୍ତି କମିଟିର ସଭାପତି ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୁଣା ବସଷ୍ଟାଣ୍ଡରେ ହୋଇଥିବା ନିୟନ୍ତ୍ରଣ କକ୍ଷରେ ମେଲଣ କିମ୍ବା ଭଷାଣିରେ ମଧ୍ୟ ଦେଖିବାକୁ ମିଳିନାହିଁ । ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ବିଧାୟକ ଶଶୀଭୂଷଣ ବେହେରା, ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ପୈାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ପ୍ରମୁଖ ଉପସ୍ଥିତ ରହି ଭସାଣୀ ଉତ୍ସବକୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଛି । ଭସାଣୀର ଦ୍ୱିତୀୟ ଦିନରେ ପୂର୍ବାହ୍ନ ସାଢେ୧୦ ଟା ସମୟରେ ସମସ୍ତ ଠାକୁରଙ୍କୁ ଭୋଗଲାଗି ହେବାପରେ ବିସର୍ଜନଘାଟ ଅଭିମୁଖେ ମେଢ ଗୁଡିକ କ୍ରମାନୁସାରେ ଯାଇଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ନୂଆବସଷ୍ଟାଣ୍ଡ ଥାନପତି ବିସର୍ଜନ ଘାଟ ଅଭିମୁଖେ ଆସ୍ଥାନ ଛାଡିବାପରେ କାକଟ ମଙ୍ଗଳା, ଅନ୍ନପୂର୍ଣ୍ଣା କ୍ଳବ ମେଢ ଗୁଡିକ ଯାଇଥିଲେ । ନୂଆବସଷ୍ଟାଣ୍ଡ ବିସର୍ଜନ ଘାଟକୁ ୨୪ଟି ମେଢ ଯାଇଥିବାବେଳେ ସାନ୍ତସାହି, କେଶପୁର ବଜାର ବିସର୍ଜନ ଘାଟକୁ ୧୯ଟି ମେଢ ଯାଇଥିଲେ । ଅନ୍ୟ ମେଢ ଗୁଡିକ ନିଜ ନିଜ ସାହିବସ୍ତିରେ ଥିବା ପୋଖରୀରେ ବିସର୍ଜିତ ହୋଇଥିଲେ । ଏହି ପ୍ରକ୍ରିୟା ରାତି ୧୧ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି ଭସାଣୀ ଶୋଭାଯାତ୍ରାରେ ଏସ୍ପି ଶ୍ରୀ ଶେଖରଙ୍କ ସହିତ ଅତିରିକ୍ତ ଏସପି ଗାଗାରିନ ମହାନ୍ତି,ଅମୀତା ପଟ୍ଟନାୟକ,କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସପି (ଏଚ.ଆର.ପି.ସି) କାର୍ତ୍ତିକ ଚନ୍ଦ୍ର ମଲ୍ଲିକ,ଟାଉନ୍ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସହିତ ୧୦ ଜଣ ଡିଏସ୍ପି, ୧୫୦ ଜଣ ପୋଲିସ ଅଫିସରଙ୍କ ସହିତ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ, ର୍ୟାପିଡି ଆକ୍ସନ୍ ଫୋର୍ସ ଆଦି ମୃତୟନ ହୋଇଥିଲେ । ଗତ ବର୍ଷର ଭସାଣୀ ତୁଳନାରେ ଏବର୍ଷ ଶୃଙ୍ଖଳିତ ଭାବେ ଭଷାଣି ଉତ୍ସବ ଦେଖିବାକୁ ମିଳିଥିଲା ।