କେନ୍ଦ୍ରାପଡା ଜିଲ୍ଲାରେ ବ୍ଲକ ସ୍ତରୀୟ ନିଯୁକ୍ତି ଏବଂ ବୈଷୟିକ ଶିକ୍ଷା ଭିତ୍ତିକ ପରାମର୍ଶ ମେଳା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ଏବଂ ବୈଷୟିକ ଶିକ୍ଷା ଭିତ୍ତିକ ଶିବିରର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବ୍ଲକ ସ୍ତରୀୟ ଶିବିରର ମୁଖ୍ୟ ଉଦେଶ୍ୟ, ଲକ୍ଷ୍ୟ ଓ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ସୂଚନା ପ୍ରଦାନ କରିଥିଲେ । ବ୍ଲକ ସ୍ତରୀୟ ଶିବିରରେ ଅଧିକରୁ ଅଧିକ ସଂଖ୍ୟକ ତାଲିମ ନିମନ୍ତେ ଯୁବକଯୁବତୀମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ପଟ୍ଟାମୁଣ୍ଡାଇ ସରକାରୀ ଆଇ.ଟି.ଆଇ. ଓ ଛତା ସରକାରୀ ପଲିଟେକନିକର ଅଧ୍ୟକ୍ଷ, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଶିବିର ଚଳିତମାସ ୨୮ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚମାସ ୧୮ତାରିଖରେ ଶେଷ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସା ସୂଚନା ଦେଇଛନ୍ତି । ସେହି ଅନୁଯାୟୀ ଚଳିତମାସ ୨୮ତାରିଖ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡା ବ୍ଲକ ପରିସରରେ, ମାର୍ଚ୍ଚ ୩ତାରିଖରେ ରାଜକନିକା ବ୍ଲକରେ, ମାର୍ଚ୍ଚ ୪ତାରିଖରେ ରାଜନଗର ବ୍ଲକରେ, ମାର୍ଚ୍ଚ ୯ତାରିଖରେ ମହାକାଳପଡା ବ୍ଲକରେ, ମାର୍ଚ୍ଚ ୧୦ତାରିଖରେ ଗରଦପୁର ବ୍ଲକରେ, ମାର୍ଚ୍ଚ ୧୪ତାରିଖରେ ଆଳି ବ୍ଲକରେ, ମାର୍ଚ୍ଚ ୧୫ତାରିଖରେ ମାର୍ଶାଘାଇ ବ୍ଲକରେ, ମାର୍ଚ୍ଚ ୧୬ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକରେ ଓ ମାର୍ଚ୍ଚ ୧୮ତାରିଖ ପୂର୍ବାହ୍ନ ୧୦ଟାରେ ଡେରାବିଶ ବ୍ଲକରେ ଅନୁଷ୍ଠିତ ହେବ ।