କେନ୍ଦ୍ରାପଡା ଜିଲ୍ଲାରେ ସମ୍ଭାବ୍ୟ ଶିଳ୍ପ ପ୍ରତିଷ୍ଠା ଭିତ୍ତିଭୂମି ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ କେନ୍ଦ୍ରାପଡା ଜିଲ୍ଲାରେ ସମ୍ଭାବ୍ୟ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡା ଭଳି କୃଷି ପ୍ରଧାନ ଜିଲ୍ଲାରେ ଚଣ୍ଡିଖୋଲ- ପାରାଦୀପ ୫ନମ୍ବର(କ) ଜାତୀୟ ରାଜପଥର ନିକଟବର୍ତ୍ତୀ ସରକାରୀ ଗୋଚର ଜମି ତଥା ବେସରକାରୀ ଜମି ଅଧିଗ୍ରହଣ କରି ଶିଳ୍ପ ଉଦେଶ୍ୟରେ ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରାଯାଇଛି । ଏହି ବୈଠକର ପ୍ରାରମ୍ଭରେ ମନ୍ତ୍ରୀ ଉପସ୍ଥିତ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡାର ସ୍ଲାଇନ ଗୁଡିକୁ ଅନୁଧ୍ୟାନ କରି ସମୀକ୍ଷା କରିଥିଲେ । ସରକାରୀ ଗୋଚର ଜମିକୁ ଅଧିଗ୍ରହଣ କରିବା ସହ ଆବଶ୍ୟକ ହେଉଥିବା ବେସରକାରୀ ଜମିକୁ ଜମି ମାଲିକମାନଙ୍କ ସହ ଆପୋଷ ଆଲୋଚନା କରି ସେମାନଙ୍କ ଜମିର ବେଞ୍ଚମୂଲ୍ୟ ପ୍ରଦାନ କରିବାକୁ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଜମି ଅଧିଗ୍ରହଣ କରି ଇପିକଲକୁ ପ୍ରସ୍ତାବ ଦେଲେ ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରିବ ବୋଲି ଉପସ୍ଥିତ ଉଚ୍ଚ ପଦସ୍ଥ ଅଧିକାରୀମାନେ ଆଲୋଚନା କରିଥିଲେ । କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଅଧୂନା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ବୈଠକରେ ଯୋଗଦେଇ ସମସ୍ତ କାର୍ଯ୍ୟ ଖସଡା ଓ ମାପର ପ୍ରଦର୍ଶିତ ସ୍ଲାଇନ ଗୁଡିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ମହାକାଳପଡା ବ୍ଲକର ଅମେଇପାଳ, ଯଦୁପୁର, ଜଳଗଡା, ମାର୍ଶାଘାଇ ବ୍ଲକର ମଣିକୁଣ୍ଡା, ଡେରାବିଶ ବ୍ଲକର ତିଲକପୁର, ନୂଆହାଟ, ବଳଭଦ୍ରପୁର ପ୍ରମୁଖ ଅଞ୍ଚଳର ସରକାରୀ ଗୋଚର ଓ ବେସରକାରୀ ଜମି ଗୁଡିକୁ ଅଧିଗ୍ରହଣ ଓ ସରକାରୀ ମୂଲ୍ୟ ପ୍ରଦାନ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ଭାବ୍ୟ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ମନ୍ତ୍ରୀ ବିଦ୍ୟୁତ ବିଭାଗର ପଦସ୍ଥ ଅଧିକାରୀଙ୍କ ଠାରୁ ବିଦ୍ୟୁତ ଯୋଗାଣ ସମ୍ପର୍କରେ ପଚାରି ବୁଝିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଇପିକଲ ଏମଡି ଭୂପିନ୍ଦର ସିଂ ପୁନିଆ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଓ.ପି.ଟି.ସି.ଏଲ.ର ମୁଖ୍ୟ ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ମିଶ୍ର, ଅପରେସନ ନିର୍ଦେଶକ ଉପେନ୍ଦ୍ର କୁମାର ପତି, ରାଜନଗର ଡିଏଫଓ ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଇପିକଲ, ଓପିଟିସିଏଲ, ଟିପିସିଓଡିଏଲର ଉଚ୍ଚ ପଦସ୍ଥ ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ଓ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ତହସିଲଦାର/ ଅତିରିକ୍ତ ତହସିଲଦାର ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଶେଷରେ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ