କେନ୍ଦ୍ରାପଡା ଜିଲ୍ଲାରେ ୧୯ହଜାର ୭୮୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣକୁ ଆଖିଆଗରେ ରଖି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ କରି ୨ଟି ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା କରାଯିବା ପାଇଁ ସ୍ଥିର କରାଯାଇଥିଲା । ସେହି ଅନୁଯାଇ ସମେଟିଭ ଆସେସମେ – ୧ ପରୀକ୍ଷା ଚଳିତମାସ ୫ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ତାହା ୮ତାରିଖ ପର୍ଯ୍ୟନ୍ତ ଚାଲିବ । ସମେଟିଭ ଆସେସମେଣ୍ଟ- ୨ ପରୀକ୍ଷା ଆସନ୍ତା ଅପ୍ରେଲ ମାସରେ ହେବା ପାଇଁ ସ୍ଥିର କରାଯାଇଛି । ଚଳିତ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବିଷୟରେ ୫୦ମାର୍କର ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବାର ବ୍ୟବସ୍ଥା ଥିବା ବେଳେ ଆସନ୍ତା ଅପ୍ରେଲମାସରେ ହେବାକୁ ଥିବା ସମେଟିଭ ଆସେସମେଣ୍ଟ-୨ରେ ପ୍ରତ୍ୟେକ ବିଷୟରେ ୫୦ମାର୍କର ସଂକ୍ଷିପ୍ତ ଓ ୩୦ମାର୍କର ଦୀର୍ଘ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଆଜି ଠାରୁ ଆରମ୍ଭ ହୋଇଥିବା ସମେଟିଭ ଆସେସମେ – ୧ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ୧୦୩ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିବା ଜଣାପଡିଛି । ଏହି ୧୦୩ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ଆଳି ବ୍ଲକରେ ୧୨ଟି, କେନ୍ଦ୍ରାପଡା ବ୍ଲକ ଓ ପୈାରାଞ୍ଚଳରେ ୧୫ଟି, ପଟ୍ଟାମୁଣ୍ଡାଇ ବ୍ଲକରେ ୧୩ଟି, ଡେରାବିଶ ବ୍ଲକରେ ୯ଟି, ଗରଦପୁର ବ୍ଲକରେ ୬ଟି, ମାର୍ଶାଘାଇ ବ୍ଲକରେ ୮ଟି, ମହାକାଳପଡା ବ୍ଲକରେ ୧୬ଟି, ରାଜକନିକା ବ୍ଲକରେ ୧୧ଟି ଏବଂ ରାଜନଗର ବ୍ଲକରେ ୧୩ଟି ପରୀକ୍ଷା କେନ୍ଦ୍ର ଖୋଲିିଛି । ଏହି ପରୀକ୍ଷା ନିମନ୍ତେ ଜିଲ୍ଲାର ୨୦ହଜାର ୬୬୭ଜଣ ଛାତ୍ରଚାତ୍ରୀ ଫର୍ମ ପୁରଣ କରିଥିବା ବେଳେ ସେଥି ମଧ୍ୟରୁ ୧୯ହଜାର ୭୮୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପୀତବାସ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ୮୭୯ଜଣ ଛାତ୍ରଛାତ୍ରୀ ଆଜିର ପରୀକ୍ଷାରେ ଅନୁପସ୍ଥିତ ଥିଲେ । ଜିଲ୍ଲାର ୯୫.୭୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ସାହିତ୍ୟ ଓ ଗଣିତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀମାନେ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୨ଟି ଆଭ୍ୟନ୍ତରୀଣ ସ୍କ୍ୱାର୍ଡ ଏବଂ ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ୱାର୍ଡ ଜିଲ୍ଲାର ମାଟ୍ରିକ ପରୀକ୍ଷା କେନ୍ଦ୍ର ଗୁଡିକୁ ନିରୀକ୍ଷଣ କରୁଥିଲା ।