କେନ୍ଦ୍ରାପଡା ଜିଲ୍ଲାର ସରପଂଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକନଫରେନ୍ସ ଯୋଗେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର କରୋନା ଯୋଦ୍ଧା ସରପଂଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି । ଭୂବନେଶ୍ୱରସ୍ଥିତ ସଚିବାଳୟର ତୃତୀୟ ମହଲା କନଫରେନ୍ସ ହଲରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଉପସ୍ଥିତ ଥିବା ସରପଂଚ ଓ ବିଧାୟକମାନଙ୍କ ସହିତ ପ୍ରତ୍ୟେକ ପଂଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା, ବାହାର ରାଜ୍ୟ ଓ ଦେଶ ବାହାରୁ ଆସିଥିବା ପ୍ରବାସୀମାନଙ୍କ ଖବର ସଠିକ ଭାବେ ବୁଝିବା ଏବଂ ଜିଲ୍ଲାରେ କୋଭିଡ ପରିଚାଳନା ସଠିକ ଭାବରେ ହୋଇଥିବାରୁ ସେଥିନିମନ୍ତେ ଜିଲ୍ଲାପାଳ,ସରପଂଚମାନଙ୍କ ସମେତ ସେହି କାର୍ଯ୍ୟରେ ନିୟୋଜିତ ସମସ୍ତ ବିଭାଗର ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଯୋଗୁଁ କେନ୍ଦ୍ରାପଡାବାସୀଙ୍କ ମନରେ ଆଶା ଓ ବିଶ୍ୱାସର ସଂଚାର ହୋଇଥିଲା । ଯାହାଫଳରେ ଏଠାରେ କରୋନାର ସଫଳ ମୁକାବିଲା କରାଯାଇଛି । ଏଠାକୁ ଯେଉଁ ପରିମାଣର ପ୍ରବାସୀ ଆସିବାକୁ ଲାଗିଲେ ତାକୁ ଦେଖି ଆତଙ୍କିତ ଲାଗୁଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆମକୁ କରୋନା ମୁକାବିଲା କରିବାରେ ସହୟତା ଯୋଗାଇଥିଲା । ତେଣୁ ସଂକ୍ରମଣ ଦୃଷ୍ଟିରୁ ଆମେ ବହୁ ପଛରେ ରହିଛୁ ବୋଲି ବିଧାୟକ କହିଥିଲେ । ଏହା ସଦାସର୍ବଦା ବିପର୍ଯ୍ୟୟକୁ ସମନା କରୁଥିବା ଏକ ଜିଲ୍ଲା ହୋଇଥିବା ବେଳେ ଏଠାରେ ଜୀବନ ସହିତ ଜିବୀକାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ଜିଲ୍ଲାବାସୀ ଏହି ଜିଲ୍ଲାକୁ କରୋନାମୁକ୍ତ କରିବା ପାଇଁ ସର୍ବଦା ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଆମକୁ କରୋନା ସହିତ ଲଢେଇ କରିବାକୁ ସାହାସ ଦେଇଥିଲା । ପ୍ରାୟ ୫୫ହଜାର ପ୍ରବାସୀ କରୋନା ଯୋଗୁଁ ଜିଲ୍ଲାକୁ ଫେରିଥିବାରୁ ସେମାନଙ୍କ କର୍ମସଂସ୍ଥାନ ପାଇଁ ଜିଲ୍ଲାରେ ଏକ ଟେକ୍ସଟାଇଲ ହବ ନିର୍ମାଣ କରାଯିବାକୁ ପ୍ରସ୍ତାବ ରଖିଥିଲେ । କେନ୍ଦ୍ରାପଡା ବ୍ଲକରୁ ବଗଡା ପଂଚାୟତର ସରପଂଚ ନିରୂପମା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ବ୍ଲକରୁ ମଧ୍ୟ ସରପଂଚମାନେ ଆଲୋଚନାରେ ଅଂଶଗ୍ରହଣ କରି ଅଧିକ ସଂଖ୍ୟାରେ ରାସନକାର୍ଡ ଟାର୍ଗେଟ ଜିଲ୍ଲାକୁ ପ୍ରଦାନ କରିବା,ଆମ୍ବୁଲାନ୍ସ ପ୍ରଦାନ ଓ ପଂଚାୟତକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ ଏହି ଜିଲ୍ଲାବିଜୁବାବୁଙ୍କର ଅତିପ୍ରିୟ ହୋଇଥିବାରୁ ସେ ଏହି ଜିଲ୍ଲାକୁ ଫୋକସ କରି ସମସ୍ତ ବ୍ୟବସ୍ଥା କରିଛନ୍ତି । ସରପଂଚମାନେ କୋଭିଡର ସଫଳ ମୁକାବିଲା କରିଥିବାରୁ ସେ ଗର୍ବିତ ଏବଂ ବିଜୁବାବୁ ବଂଚିଥିଲେ ବହୁତ ଖୁସି ହୋଇଥାନ୍ତେ । ଜିଲ୍ଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୭ଲକ୍ଷ ରାସନକାର୍ଡର ଟାର୍ଗେଟ ଯୋଗାଇ ଦିଆଯାଇଥିଲା । ସେଥିରୁ ବର୍ତ୍ତମାନ ସୁଦ୍ଧା ବଳକାଥିବା ଟାର୍ଗେଟରୁ ଯୋଗ୍ୟବ୍ୟକ୍ତିଙ୍କୁ ରାସନକାର୍ଡ ଯୋଗାଇଦେବାରେ କିଛି ଅସୁବିଧା ନାହିଁ । ଏଥିସହିତ ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପଂଚାୟତ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମନରେଗା ଯୋଜନାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ । କେନ୍ଦ୍ରାପଡା ବ୍ଲକରେ ବିଧାୟକ ଶ୍ରୀ ବେହେରାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ବିଡିଓ ସୁଧିର କୁମାର ସିଂ ଓ ବିଭିନ୍ନ ପଂଚାୟତର ସରପଂଚମାନେ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରରୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ସଚିବ, ବିଧାୟକ, ସରପଂଚ ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।