କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୃତି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ଏକ ପ୍ର୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସୁଚନା ଓ ଲୋକସଂପର୍କ ବିଭାଗ ଆନୁକୁଲ୍ୟରେ ସ୍ୱାଧୀନତା ଦିବସ ଦିନ ପ୍ରାତଃରେ ସହରରେ ରାମ୍ଧୁନ୍ ପ୍ରଚାର, ସକାଳେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରୀ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ବାସଗୃହ ମାନଙ୍କରେ ସକାଳ ୭ଟା ୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତୋଳନ କରାଯିବ । ଜିଲ୍ଲାସ୍ତରୀୟ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍ ସକାଳ ୯ ଟା ୧୫ ମିନିଟ୍ ସମୟରେ ଅନୁଷ୍ଠିତ ହେବ । ଅଗଷ୍ଟ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୮ ଘଟିକା ସମୟରେ ପ୍ୟାରେଡ୍ ପୂର୍ବାଭାସ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବ । ସ୍ୱାଧୀନତା ଦିବସ ଉତ୍ସବ ପ୍ୟାରେଡ୍ ପରେ କେନ୍ଦ୍ରାପଡା ଜିଲ୍ଲା ବିକାଶରେ ସାମିଲ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲା ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ , ସିବିଏସଇ ଓ ଆଇସିଏସି ସ୍ତରରେ ଜିଲ୍ଲାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦଳଗତ ଦେଶାମô୍ ବୋଧ ନୃତ୍ୟ ପରିବେଶଣ, ସ୍ୱାଧୀନତା ସଂଗ୍ରାମୀଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିଲା । ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀମାନଙ୍କୁ ଫଳ ବଣ୍ଟନ, କାରାଗାର ଅନ୍ତେବାସୀଙ୍କୁ ମିଷ୍ଠାନ ବଣ୍ଟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାମô୍ବୋଧ ସଂଗୀତ ଆବୃତ୍ତି, ଓଡିଆ ବକ୍ତୃତା, ଦେଶଭକ୍ତି ସଂଗୀତ ଗାନ ଓ ଚିତ୍ରକଳା ପ୍ରତିଯୋଗୀତା ପ୍ରଭୃତି ଅନୁଷ୍ଠିତ ହେବ । ଭିିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ଆନୁକୁଲ୍ୟରେ ବିଭିନ୍ନ ପ୍ରତିଯୋଗୀତା ସଂପର୍କରେ ଆଲୋଚନା କରାଯାଇଥିଲା । ପୁର୍ତ୍ତ ବିଭାଗ ପକ୍ଷରୁ ମଂଚ ପ୍ରସ୍ତୃତି ଓ ପୈାରସଂସ୍ଥା ପକ୍ଷରୁ ସହର ଓ ପ୍ୟାରେଡ୍ ପଡିଆ ସଫେଇ, ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଓ ଡାକ୍ତରୀ ସେବା ବ୍ୟବସ୍ଥା, ରିଜର୍ଭ ପୋଲିସ ପକ୍ଷରୁ ପ୍ୟାରେଡ୍ ପରିଚାଳନା ପ୍ରଭୃତି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ଚଳିତବର୍ଷ ସ୍ୱାଧୀନତା ଦିବସକୁ ସହର ନିକଟସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ କିମ୍ବା ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ ପାଳନ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାପାଳଙ୍କ ନିଷ୍ପତି ଉପରେ ଛାଡିଦିଆଯାଇଥିଲା । ସେହିଦିନ ପ୍ରଶାସନ ଓ ପୋଲିସ ମଧ୍ୟରେ ଏକ ଫ୍ରେଣ୍ଡଲି ଫୁଟବଲ ମ୍ୟାଚ ଖେଳାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଅତିରିକ୍ତ ଏସପି ଅରୁଣ କୁମାର ଜେନା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଅଧ୍ୟାପକ ଅଜୟ କୁମାର ରାଉତ,ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।