କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ଭୋଟ୍ ଡିସେମ୍ବର ୧୨ ରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ଉପ ସଭାପତି ଆଇନଜୀବି ବିଜୟ କୁମାର ପରିଡା ଓ ପୂର୍ବତନ ସଂପାଦକ ଗୋବର୍ଦ୍ଧନ ରାଉତଙ୍କ ଆବାହକତ୍ୱରେ ଜିଲ୍ଲା ଓକିଲ ସଂଘର ଏକ ଜରୁରୀ ସାଧାରଣ ଓ ସ୍ୱତନ୍ତ୍ର ବୈଠକ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ଆଇନଜୀବି ତଥା ସଂଘର ପୂର୍ବତନ ସଭାପତି କୁଳମଣି ଦାସ ସର୍ବ ସମ୍ମତି କ୍ରମେ ସଭାପତି ରୁପେ ସଭା ପରିଚାଳନା କରିଥିଲେ । ଓଡିଶା ହାଇକୋର୍ଟର ନିର୍ଦ୍ଦେଶ ଓ ବାର କାଉନସିଲର ଚିଠି ପରେ ଡିସେମ୍ବର ୧୨ତାରିଖରେ ସାରା ଓଡିଶାରେ ଓକିଲ ସଂଘର ନିର୍ବାଚନ ହେବା କଥା । ତଦ ନୁସାରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦଦ୍ୱାରା ନିଯୁକ୍ତ ନିର୍ବାଚନ ଅଧିକାରୀ ଆଇନଜୀବି ଚନ୍ଦ୍ରଭାନୁ ବରାଳ ଚୁଡାନ୍ତ ଭୋଟର ତାଲିକା ଓ ନିର୍ବାଚନ କାର୍ଯ୍ୟକ୍ରମ ସୂଚି ଓ ନଭେମ୍ବର ୨୪ ଓ ୨୫ ତାରିଖରେ ନାମାଙ୍କନ କରାଯିବ ବୋଲି ନୋଟିସ ପ୍ରକାଶନ କରିଥିଲେ । ମାତ୍ର ନାମାଙ୍କନ ଦାଖଲର ପୂର୍ବଦିନ ନିର୍ବାଚନ ହେବନାହିଁ ବୋଲି ଏକ ନୋଟିସ ସନ୍ଧ୍ୟାରେ ପ୍ରକାଶନ କରିଥିଲେ । ୨୪ ତାରିଖ ଦିନ ପ୍ରାର୍ôଥମାନେ ନାମାଙ୍କନ ପତ୍ର ନେବାକୁ ଆସି ନିର୍ବାଚନ ବନ୍ଦ ସମ୍ପର୍କରେ ଜାଣି ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟକୁ ତାଲା ପକାଇ ହରତାଳ କରିଥିଲେ । କିନ୍ତୁ ବୁଧବାର ଅନୁଷ୍ଠିତ ଜିଲ୍ଲା ଓକିଲ ସଙ୍ଘର ସାଧାରଣ ବୈଠକରେ ସଂଘର ପ୍ରାୟ ସମସ୍ତ ସଦସ୍ୟ ଯୋଗ ଦେଇ ନିର୍ବାଚନ ଅଧିକାରୀଙ୍କର ମନମୂଖି କାର୍ଯ୍ୟକୁ ନିନ୍ଦାକରାଯାଇ ଏକ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଥିଲା । ତାଙ୍କ ବଦଳରେ ନୂତନ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା, ସେହି ଡିସେମ୍ବର ୧୨ତାରିଖରେ ନିର୍ବାଚନ କରିବାକୁ, ନାମାଙ୍କନ ପାଇଁ ସାନି ଦିନ ଧାର୍ଯ୍ୟ କରିବା, ନିର୍ବାଚନ ଶେଷ ପର୍ଯ୍ୟନ୍ତ ଇଂଟେରିମ କମିଟି ବଦଳରେ ଦୁଇଜଣିଆ କମିଟି ଗଠନ କରିବା ଆଦି ପାଇଁ ବାର କାଉନସିଲ ଅଧ୍ୟକ୍ଷଙ୍କୁ ଏକ ଉଚ୍ଚସ୍ତରୀୟ ୭ଜଣିଆ କମିଟି ଭେଟି ନିର୍ବାଚନ କରାଇବା ପାଇଁ ଆସନ୍ତା କାଲି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆଇନଜୀବି ଭିମସେନ ଭୂୟାଁ, ବିଜୟ ପରିଡା, ସୁବାସ ଦାସ, ଦେବଦାସ ମହାନ୍ତି, ଗୋବର୍ଦ୍ଧନ ରାଉତ, ଗୋକୁଳି ରଞ୍ଜନ ଦାସ, ସଂଜୟ ପତ୍ରୀ ପ୍ରମୁଖଙ୍କୁ ସର୍ବସମ୍ମତ୍ତି କ୍ରମେ ଏହି ୭ଜଣିଆ କମିଟିକୁ ମନୋନିତ କରାଯାଇଥିବା ଜଣାପଡିଛି । ଏହି ଉଚ୍ଚମାନର ବୈଠକରେ ସଂଘର ବରିଷ୍ଠ ଆଇନଜୀବି ଉମେଶ ଚନ୍ଦ୍ର ସିଂ, ପରମେଶ୍ୱର ଭୂୟାଁ, ରମେଶ ପ୍ରସାଦ ଲେଙ୍କା, ନିତ୍ୟାନନ୍ଦ ସ୍ୱାଇଁ, ଅଜୟ ଦାସ, ସୁବାସ ରାଉତ, ତମସା ପାତ୍ର, ଶାନ୍ତିସ୍ୱରୁପ ଭୂୟାଁ ଓ ଖଗେଶ୍ୱର ଲେଙ୍କା ପ୍ରମୁଖ ସମସ୍ତ ଆଇନଜୀବି ମାନେ ଆସନ୍ତା ଡିସେମ୍ବର ୧୨ତାରିଖ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ କରିଥିଲେ ।