କେନ୍ଦ୍ରାପଡା ଜିଲ୍ଲା ଟ୍ରେଡ ୟୁନିଅନ ସମନ୍ୱୟ ସମିତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଟ୍ରେଡ ୟୁନିଅନ ସମନ୍ୱୟ ସମିତିର ଏକ ବୈଠକ ଶ୍ରମିକନେତା ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ନୂଆବସଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ୍ୱ ହେବ ନିର୍ମାଣ ଶ୍ରମିକମାନଙ୍କ ପରିଚୟ ପତ୍ର ପଞ୍ଜିକରଣ, ନବୀକରଣ, ବିଭିନ୍ନ ସହାୟତା ପ୍ରଦାନ, ବିଶେଷ କରି ମହିଳା ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣରେ ଅହେତୁକ ବିଳମ୍ବ ଘଟାଇ ଥିବାରୁ ବହୁବାର ଶ୍ରମ ଅଧିକାରୀ, ଶ୍ରମ ଆୟୁକ୍ତ, ଜିଲ୍ଲାପାଳ ପ୍ରଭୃତି ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିବା ସତ୍ୱେ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବା ସମ୍ପର୍କରେ ଆଲୋଚନା କରିଥରଲେ । ବିଭିନ୍ନ ସମୟରେ ଶ୍ରମ ସଂଗଠନ ଗୁଡିକ ଉପରୋକ୍ତ ସମସ୍ୟାର ସମାଧାନ ନିମନ୍ତେ ଧାରଣା ଓ ପ୍ରତିବାଦ ପୂର୍ବକ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରିଥିଲେ ମଧ୍ୟ ସେଥିପ୍ରତି କତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଜିଲ୍ଲାର ହଜାର ହଜାର ନିସ୍ୱ ନିର୍ମାଣ ଶ୍ରମିକମାନେ ନିର୍ଯ୍ୟାତନାର ଶୀକାର ହୋଇ ଦୁଃଖରେ କାଳାତିପାତ କରୁଛନ୍ତି । ଅପର ପକ୍ଷରେ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ, ନବୀକରଣ, ସହାୟତା ପ୍ରଦାନ ପାଇଁ ଅନ୍ ଲାଇନ ମାଧ୍ୟମରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଅନେକ ଗରୀବ ଶ୍ରମିକ ସେହିସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସାଧାରଣ ଗରୀବ ଲୋକମାନଙ୍କ ପାଖରେ ମୋବାଇଲ ଫୋନ ନାହିଁ । ସେମାନେ ମଧ୍ୟ ଇଂରାଜୀ ପଢି ପାରନ୍ତି ନାହିଁ । କାର୍ଯ୍ୟରତ ଶ୍ରମିକମାନଙ୍କ ପାଖରେ ମୋବାଇଲ ଫୋନ ନଥାଏ । ଫଳରେ ଓ.ଟି.ପି. ଜାଣିବା ଓ ନିର୍ଦ୍ଦିଷ୍ଟ ସମୟରେ ଓ.ଟି.ପି. ନଦେବା ଫଳରେ ଏସବୁ କାର୍ଯ୍ୟ ହେବା ଆଦୈା ସମ୍ଭବପର ହେଉ ନଥିବାରୁ ଅନ୍ ଲାଇନ ଦ୍ୱାରା ନିର୍ମାଣ ଶ୍ରମିକମାନେ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପ୍ରାକ୍ ସ୍ୱାଧୀନତା କାଳରୁ ଦେଶର ଅଗଣିତ ଶ୍ରମିକମାନଙ୍କ ସ୍ୱାର୍ଥସାଧନ ନିମନ୍ତେ ସଂଗ୍ରାମ କରୁଥିବା କେନ୍ଦ୍ରୀୟ ଶ୍ରମ ସଂଗଠନ ପ୍ରତିନିଧିମାନଙ୍କର ପରାମର୍ଶ ଓ ଅନୁରୋଧକୁ ହେୟଜ୍ଞାନ କରି ମନମୁଖୀ ଭାବରେ ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟର ଅଧିକାରୀମାନେ କାର୍ଯ୍ୟ କରୁଥିବାରୁ ଆସନ୍ତା ୨୦୨୩ମସିହା ଜାନୁଆରୀମାସ ଦ୍ୱିତୀୟ ସପ୍ତାହରେ ଜିଲ୍ଲାର ସମସ୍ତ ଶ୍ରମ ସଂଗଠନ ଓ କେନ୍ଦ୍ରୀୟ ଶ୍ରମିକ ନେତାମାନଙ୍କ ଉପସ୍ଥିତିରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ସି.ଆଇ.ଟି.ୟୁ.ର ଜଗତଜୀବନ ଦାଶ, ଏ.ଆଇ.ଟି.ୟୁ.ସି.ର ବାବାଜୀ ଧଳ, ଆଇ.ଏନ.ଟି.ୟୁ.ସି.ର ମୁକ୍ତାର ଖାଁ, ବି.ଏମ.ଏସ.ର ପ୍ରଶାନ୍ତ ତ୍ରିପାଠୀ, ରଞ୍ଜନ କୁମାର ଲେଙ୍କା, ଶିବ ନାଥ, ଶ୍ରମରଞ୍ଜନ ବଳ, କାଞ୍ଚନବାଳା ସ୍ୱାଇଁ, ଅଶୋକ ନାଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ