କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୭ଜଣ ଦଲାଲଙ୍କୁ ଗିରଫ କଲା ପୋଲିସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୭ଜଣ ଦଲାଲଙ୍କୁ ଟାଉନ ଥାନା ପୋଲିସ ଗୁରୁବାର ପୂର୍ବାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି । ସଦର ମହକୁମା ଡାକ୍ତରଖାନାକୁ ଗ୍ରାମାଞ୍ଚଳରୁ ଆସୁଥିବା ଗରୀବ ତଥା ଅସହାୟ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଏହି ଦଲାଲମାନେ ପ୍ରଲୋଭିତ କରିବା ସହ ଭୁଲାଇ ବେସରକାରୀ ନର୍ସିଂହୋମକୁ ନେଇଯିବା ପରେ ସେଠାରେ ସେମାନଙ୍କୁ ଶୋଷଣ କରାଯାଉଥିବା ବାରମ୍ବର ଅଭିଯୋଗ ହୋଇଆସୁଥିଲା । ଏସମ୍ପର୍କରେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଆଜି ଏକ ବିଶେଷ ସୁତ୍ରରୁ ଖବର ପାଇବା ପରେ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତପନ କୁମାର ନାୟକ ଡାକ୍ତରଖାନା ପରିସରକୁ ଏକ ସାଦା ପୋଷାକଧାରୀ ପୋଲିସ ଟିମ ପଠାଇଥିଲେ । ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସଦର ମହକୁମା ଡାକ୍ତରଖାନାକୁ ଯାଇ ଚଢାଉ କରିଥିଲା । ଡାକ୍ତରଖାନା ପରିସରରେ ଥିବା ଟିକଟ କାଉଁଟର ଓ ଡାକ୍ତର ରୋଗୀ ଦେଖୁଥିବା ସ୍ଥାନରୁ ୭ଜଣ ଦଲାଲଙ୍କୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଠାରୁ ଅର୍ଥ ଉତ୍କଚ ନେଉଥିବା ବେଳେ ପୋଲିସ କାବୁ କରିନେଇଥିଲେ । ଡାକ୍ତର ବିରଞ୍ଜନ ସ୍ୱାଇଁଙ୍କ ପାଖରେ ଥିବା ଦଲାଲମାନଙ୍କୁ ପୋଲିସ ଗିରଫ କରୁଥିବା ବେଳେ ଡା. ସ୍ୱାଇଁ ପୋଲିସକୁ ବାଧା ଦେଇଥିବା ନେଇ ଟାଉନ ଥାନା ଅଧିକାରୀ ଶ୍ରୀ ନାୟକଙ୍କ ଠାରୁ ସୂଚନା ମିଳିଛି । ଏହି ଦଲାଲମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା କରାଇଦେବା ଏବଂ ରୋଗୀଙ୍କୁ ଭୁଲାଇ ତଥା ପ୍ରଲୋଭିତ କରି ବେସରକାରୀ ନର୍ସିଂହୋମ ଓ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ନେଉଥିବା ପୋଲିସ କହିଛି । ସବଇନିସପେକ୍ଟର ଶ୍ରୀ ନାୟକଙ୍କ ଏତଲା ଆଧାରରେ ଥାନା କେଶ ନମ୍ବର ୧୮୦/୨୦୨୨ରେ ଆଇ.ପି.ସି.ର ୪୨୦ ଓ ୩୪ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବା ଟାଉନଥାନା ପରିସରରେ ଅନୁଷ୍ଠିତ ଏକ ପତ୍ରକାର ସମ୍ମିଳନୀରେ କେନ୍ଦ୍ରାପଡା ଏସଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୩ହଜାର୧୩୦ ଟଙ୍କା ପୋଲିସ ଜବତ କରିଛି । ଅଭିଯୁକ୍ତମାନେ ହେଉଛନ୍ତି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମର ନଟବର ସେଠୀଙ୍କ ଝିଅ ସ୍ୱର୍ଣ୍ଣମୟୀ ସେଠୀ(୩୪), ମାର୍ଶାଘାଇ ଥାନା ଅନ୍ତର୍ଗତ ମାର୍ଶାଘାଇ ଗ୍ରାମର ବିଜୟ କୁମାର ଦାସଙ୍କ ପତ୍ନୀ ଶସ୍ମିତା ବେହେରା(୩୫), କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମର ସୁଶାନ୍ତ ନାୟକଙ୍କ ପତ୍ନୀ ସୁପ୍ରିୟା ନାୟକ(୪୫), ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ଜୟନ୍ତ କୁମାର ଓଝାଙ୍କ ପତ୍ନୀ ଜୟନ୍ତୀ ସାହୁ(୬୨), ଯାଜପୁର ଜିଲ୍ଲାର ବରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଳପଡା ଗ୍ରାମର କାଙ୍ଗାଳି ଚରଣ ରାଉତଙ୍କ ପୁଅ ଅବଧୁତ ରାଉତ(୩୯) ଏବଂ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଦଳିବାଡି ଗ୍ରାମର କାଙ୍ଗାଳି ଚରଣ ମଲିକଙ୍କ ପୁଅ ଶୁକଦେବ ମଲିକ(୩୯) ।