କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକାରୀ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶାର କଳା ସଂସ୍କୃତିର ଅନ୍ୟତମ ଜିଲ୍ଲା କେନ୍ଦ୍ରାପଡାରେ କଳା ସଂସ୍କୃତିକୁ ଉଦଜୀବିତ କରି ରଖିବା, ଯାତ୍ରା କମିଟିମାନଙ୍କୁ ସୁରକ୍ଷା ଦେବା ଓ ଜିଲ୍ଲାର କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘ କାର୍ଯ୍ୟକାରୀ କମିଟି ବୈଠକରେ ଦୃଢ ନିଷ୍ପତି ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ସହର ଉପକଣ୍ଠସ୍ଥିତ ଶ୍ୟାମସୁନ୍ଦରପୁରଗଡାର ଚଣ୍ଡିଆ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କମିଟି ସଂଘର ସମ୍ପାଦକ ଅବସରପ୍ରାପ୍ତ ପ୍ରଫେସର ବୈକୁଣ୍ଠ ନାଥ ପରିଡା, ଉପଦ୍ଦେଷ୍ଟା ଅଧ୍ୟକ୍ଷ ଜ୍ଞାନ ବଲ୍ଲଭ ମହାନ୍ତି, ସମାଜସେବୀ ତଥା ଉପଦ୍ଦେଷ୍ଟା ଉପାଧ୍ୟକ୍ଷ ଶ୍ରୀନିବାସ ଓଝା, ଉପସଭାପତି ମହେଶ୍ୱର ସେଠୀ ଓ ସଂଗ୍ରାମ କେଶରୀ ମହାପାତ୍ର, ସହ ସମ୍ପାଦକ ନିହାରକାନ୍ତ ରାଉତ, କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯାତ୍ରା ପାର୍ଟି ମାଲିକମାନେ ଯାତ୍ରା ପରିବେଷଣ କରିବା ପାଇଁ ପ୍ରତ୍ୟେକ ରାତ୍ରୀ ପାଇଁ ଅହେତୁକ ଦର ବୃଦ୍ଧି ସହ ପ୍ରଚାର ଗାଡି ଖର୍ଚ୍ଚ, ଡିଜେ ପାଇଁ ଡିଜେଲ ଖର୍ଚ୍ଚ, ଉନ୍ନତ କିଷମର ଘର ବ୍ୟବସ୍ଥା, ରୋଷେଇ ଜାଳ ଯୋଗାଣ, ବକେୟା ରାଶି ପ୍ରଦାନ ପାଇଁ ବ୍ଲାଙ୍କ ଚେକ୍ ଦାବି ବ୍ୟତୀତ ଯାତ୍ରା କମିଟିମାନେ ଏସମସ୍ତ ଖର୍ଚ୍ଚ ବହନ କରିବା ସହ ବିଦ୍ୟୁତ୍ ଯୋଗାଣ, ରାଜସ୍ୱ ଦେୟ, ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଅନୁମତି, ଶ୍ରମ ବିଭାଗ ଅନୁମତି, ଆଇନଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ପୋଲିସ ଅନୁମତି, ଜିଲ୍ଲାକୁ ରେଡକ୍ରସ ଦେୟ ଆଦି ପ୍ରଦାନ କରି ଜିଲ୍ଲା ପ୍ରଶାସନ ପାଖରୁ ଆଇନଗତ ଅନୁମତି ପାଇଁ ଖର୍ଚ୍ଚ କମିଟିମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଉଛି । କମିଟି ଗୁଡିକ ବାଧ୍ୟ ହୋଇ ଟିକେଟ୍ ଦର ବୃଦ୍ଧି କରୁଛନ୍ତି, ଯଦ୍ୱାରାକି ଗାଁଗହଳିର ଜନସାଧାରଣ ଅଧିକ ଦର ଦେଇ ଯାତ୍ରା ଦେଖିବା କଷ୍ଟକର ହେବା ଓ ଦର୍ଶକମାନଙ୍କ ସଂଖ୍ୟା କମିବାରୁ ଯାତ୍ରା କମିଟିମାନେ କ୍ଷତି ସହିଲେ ବି ଯାତ୍ରା ପାର୍ଟି ମାଲିକମାନଙ୍କ ଚୁକ୍ତି ଅନୁସାରେ ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି । ଏହା ପରେ ବି ଯାତ୍ରା ପରିବେଷଣ ଭଲ ହେଉ ବା ନ ହେଉ ଦର୍ଶକ ହୁଅନ୍ତୁ ବା ନ ହୁଅନ୍ତୁ, କମିଟିର ଧାର୍ଯ୍ୟ ଆୟ ହେଉ ବା ନ ହେଉ ଯାତ୍ରା ପାର୍ଟି ମାଲିକମାନଙ୍କ କୌଣସି ସମାଧାନର ବାଟ ନ କରି ଓଲଟା ଜୁଲମ କରିବା ଯୋଗୁଁ ପାରମ୍ପରିକ କମିଟି ଗୁଡିକ ଦିନକୁଦିନ ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ କାଯ୍ୟକର୍ତ୍ତା, ୯ଟି ବ୍ଲକ କମିଟି ସଭାପତି, ସମ୍ପାଦକ ଓ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଯୋଗ ଦେଇ ୧୧ଗୋଟି ପ୍ରସ୍ତାବକୁ ସମର୍ଥନ ଦେବା ସହ ଯାତ୍ରା ପାର୍ଟି ମାଲିକମାନେ ଜିଲ୍ଲା ଯାତ୍ରା କମିଟି ସହିତ ସମନ୍ୱୟ ରକ୍ଷା କରିବା ଦୃଷ୍ଟିରୁ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଦାବି ଗୁଡିକ ପ୍ରତି ଯଦି ଯାତ୍ରା ପାର୍ଟି ମାଲିକମାନେ ଗୁରୁତ୍ୱ ନ ଦିଅନ୍ତି ତେବେ ଆସନ୍ତା ୨୦୨୫ ମସିହା ଜୁଲାଇ ମାସଠାରୁ ଜିଲ୍ଲାରେ କୌଣସି ଯାତ୍ରା ପାର୍ଟି ଯାତ୍ରା କରିବାକୁ ଦିଆଯିବ ନାହିଁ ବୋଲି ଦୃଢ ନିଷ୍ପତ୍ତିି ନିଆ ଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ମୋଟ୍ ୧୯୪ଟି ଯାତ୍ରା କମିଟି ଜିଲ୍ଲା ଯାତ୍ରା କମିଟି ସଂଘରେ ସାମିଲ ହୋଇ ବ୍ଲକ ସ୍ତରରେ ମଧ୍ୟ ଏଭଳି ଦୃଢ ନିଷ୍ପତି ନେଇଥିବାର ସଭାପତି ମିହିର ସାମଲ ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ ପାରମ୍ପରିକ ଅନୁଷ୍ଠାନଗୁଡିକୁ ବଂଚାଇବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ସହାୟତାରେ ଜିଲ୍ଲାରେ ବଚ୍ଛାବଚ୍ଛା କମିଟିର କଳାକାରମାନଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନରେ ନାଟକ ପ୍ରତିଯୋଗୀତା କରାଯାଇ ବିଭିନ୍ନ ଅନୁଷ୍ଠାନରେ ମଂଚ ନାଟକ ପ୍ରତିଯୋଗୀତା କରିବାକୁ ବିଭିନ୍ନ ଯାତ୍ରା କମିଟି କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ସଂଯୋଜକ ଦିପକ କୁମାର ମହାନ୍ତି, ରାଜନଗର ବ୍ଲକ ସଭାପତି ବିଭୁତି ଭୂଷଣ ନାୟକ, ସମ୍ପାଦକ ଶରତ କୁମାର ଦାଶ, ମହାକାଳପଡା ବ୍ଲକ ସଭାପତି ବିରେନ୍ଦ୍ର କୁମାର ଦାସ, ଡାରାବିଶି ବ୍ଲକ ସଭାପତି ବିଜୟ କୁମାର ସାମଲ, ସମ୍ପାଦକ ଲକ୍ଷ୍ମୀକାନ୍ତ ମହାନ୍ତି, ମାର୍ଶାଘାଇ ବ୍ଲକ ସଭାପଚି ରବିନ୍ଦ୍ର ଦାସ, କେନ୍ଦ୍ରାପଡା ବ୍ଲକ ସଭାପତି ନାରାୟଣ ସାହୁ, ପଟ୍ଟାମୁଣ୍ଡାଇ ପତିତପାବନ ଭଦ୍ର ଓ ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ, ଆଳି ବ୍ଲକ ସମ୍ପାଦକ ବିରେନ୍ଦ୍ର ପଣ୍ଡା, ରାଜକନିକା ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ଗରଦପୁର ବ୍ଲକ ସମ୍ପାଦକ ଗିରିଶ ଚନ୍ଦ୍ର କର ପ୍ରମୁଖ ବିଭିନ୍ନ ବ୍ଲକ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ