କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଇଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟର ଇନସ୍ପାୟାର୍ଡ ଆୱାର୍ଡ ଯୋଜନାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିସହିତ କୁନି କୁନି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇବା ସହ ଜଣେ ସାଧାରଣ ଗୃହିଣୀ ଠାରୁ ଆରମ୍ଭ କରି ଦୈନନ୍ଦୀନ ଜୀବନରେ ଆସୁଥିବା ଘଟଣା କିଭଳି ବିଜ୍ଞାନ ସହିତ ସମ୍ପର୍କିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ୫-ଟି ସ୍କୁଲ ଯୋଜନାରେ ରାଜ୍ୟ ସରକାର କିଭଳି ଛାତ୍ରଛାତ୍ରୀମାନଙ୍କୁ ୁସ୍ମାର୍ଟ କ୍ଲାସରୁମ, ଇ-ପାଠାଗାର, ବିଜ୍ଞାନାଗାର ପ୍ରଭୃତିର ସୁବିଧା ଯୋଗାଇ ଦେଇଛନ୍ତି ସେ ସମ୍ପର୍କରେ କହିଥିଲେ । ଆଜି ବୈଷୟିକ ଜ୍ଞାନ କୈାଶଳ ଅଧିକ ବିକଶିତ ହୋଇଥିବା ବେଳେ କୁନି କୁନି ପିଲାମାନେ ସେସବୁର ସୁଯୋଗ ନେଇ ନିଜ ଜୀବନରେ ସଫଳତା ଆଣିବା ପାଇଁ ପ୍ରୟାସ ଜାରିରଖିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜ୍ଞାନ ଏକାଡେମୀର ସମ୍ପାଦକ ଡଃ. ଆଶିଷ କୁମାର ମହାନ୍ତି ଯୋଗଦେଇ ଜଣା ଭିତରେ ଅଜଣାକୁ ଖୋଜି ବାହାର କରିବା ହେଉଛି ପ୍ରକୃତ ବିଜ୍ଞାନ ବୋଲି କହିଥିଲେ । ଯେଉଁ ପିଲାମାନେ କମ୍ ଖର୍ଚ୍ଚରେ ଓ କ୍ଷୁଦ୍ର ପରିସର ମଧ୍ୟରେ ଏକ ନୂତନତ୍ୱ ପ୍ରକଳ୍ପ ମାଧ୍ୟମରେ ଉପସ୍ଥାପନ କରିଥାନ୍ତି ସେଭଳି ପ୍ରକଳ୍ପ ପୁରସ୍କୃତ ହୋଇଥାଏ । ସମ୍ମାନୀତ ଅତିଥି ଭାବେ ଏନ.ଆଇ.ଏଫ.ର କନିଷ୍ଠ ବୈଜ୍ଞାନିକ ସ୍ୱରାଜ ପରିଡା ଯୋଗଦେଇ ପିଲାମାନଙ୍କ ଅନ୍ତର୍ନିହିତ ବୈଜ୍ଞାନିକ ମନୋଭାବକୁ ବ୍ୟକ୍ତ କରିବା ଉଦେଶ୍ୟରେ ଏଭଳି ବିଜ୍ଞାନ ପ୍ରଦର୍ଶନୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ସଂଗଠନର ସଂଯୋଜକ ପିତବାସ ପଣ୍ଡା, ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ରଞ୍ଜନ ବାରକ ବାର୍ଷିକ ବିବରଣୀ ପାଠ କରିଥିଲେ । ନନ୍ତାରସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ହାଇସ୍କୁଲର ଶିକ୍ଷକ ଆଦିକନ୍ଦ ସାହୁ ବିଜ୍ଞାନ ଭିତ୍ତିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ଶିକ୍ଷକ ଶୁଭାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ-୨ ପ୍ରକାଶ କୁମାର ପରିଡା, ଶିକ୍ଷକ ଶିବନାରାୟଣ ମହାନ୍ତି, ଭାଗୀରଥି ମହାନ୍ତି,ଶୁଭଦର୍ଶିନୀ ଦାସ, ଗଗନବିହାରୀ ସୁତାର, ରଞ୍ଜନ କୁମାର ସ୍ୱାଇଁ, ପ୍ରସନ୍ନ କୁମାର ପରିଡା, ଗୀତାଞ୍ଜଳି ସାମଲ, ମନୋଜ କୁମାର ଶତପଥୀ, ନିରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।