କେନ୍ଦ୍ରାପଡା ଟେଲର ଶ୍ରମିକ ସଙ୍ଘର ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆମ ସମାଜରେ ପୋଷାକ ପ୍ରସ୍ତୁତ କରୁଥିବା ଟେଲର ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ସେମାନଙ୍କୁ କୈାଣସି ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଉନାହିଁ । ଏନେଇ କେନ୍ଦ୍ରାପଡା ଜିଲ୍ଲା ଟେଲର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସଭାପତି ସେକ୍ ମୁନିରୁଦ୍ଦିନ(ମୁନା)କ୍ଷୋଭ ପ୍ରକାଶ କରିବା ସହିତ ଶତାଧିକ ଟେଲର ଶ୍ରମିକମାନଙ୍କୁ ଅଣସଂଗଠିତ ଶ୍ରମିକର ମାନ୍ୟତା ସହ ସରକାରୀ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି କରିଛନ୍ତିି । କେନ୍ଦ୍ରାପଡା ସହର ଅନ୍ତର୍ଗତ ମୀରପାଟଣା ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ଟେଲର ଶ୍ରମିକ ଆସୋସିଏସନର ଏକ ବୈଠକ ସଭାପତି ସେକ୍ ମୁନିରୁଦ୍ଦିନ(ମୁନା)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ କାର୍ଯ୍ୟ କରୁଥିବା ଟେଲର ଶ୍ରମିକମାନଙ୍କୁ ଅଣସଂଗଠିତ ଶ୍ରମିକ ଭାବରେ ନିଆଯାଇଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଉନଥିବା ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଟେଲରମାନେ ଛୁଞ୍ôଚ ସୁତାରେ ସୁକ୍ଷ୍ମ ସିଲେଇ କାମ କରୁଥିବାରୁ ସେମାନଙ୍କର ଦୃଷ୍ଟିଶକ୍ତି ଉପରେ ଆଞ୍ଚ ଆସୁଛି ଏବଂ ସେମାନେ ଅନେକ ସମୟରେ ଦୃଷ୍ଟିଶକ୍ତି ହରାଇ ବସୁୁଛନ୍ତି । ତେଣୁ ଟେଲର ଶ୍ରମିକମାନଙ୍କୁ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟବୀମା, ପିଲାଙ୍କ ଶିକ୍ଷା ସହାୟତା, ବିବାହ, ଅକାଳ ମୃତ୍ୟୁ ପ୍ରଭୃତି ନିମନ୍ତେ ସହାୟତା ପ୍ରଦାନ ଓ ବୃତ୍ତିଗତ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବାକୁ ବୈଠକରେ ଦାବି କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଅଣସଂଗଠିତ ଶ୍ରମିକମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗରିବ ଟେଲର ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ କୌଣସି ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିନଥିବାରୁ ସଭାପତି ସେକ୍ ମୁନିରୁଦ୍ଦିନ ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ । ଏହି ବୈଠକରେ ସଂଘର ଉପସଭାପତି ତଥା ବରିଷ୍ଠ ଟେଲର ସୁନାକର ମହାରଣା, ସମ୍ପାଦକ ଅନନ୍ତ କିଶୋର କର, ସହସମ୍ପାଦକ ଭରତ ଚନ୍ଦ୍ର ଜେନା, ସେକ୍ ନସିରୁଦ୍ଦିନ୍, ଶ୍ରୀକାନ୍ତ ମହାରଣା, ସେକ ଲିଆକୁଦ୍ଦିନ୍, ସେକ୍ ଗୋଲାପ, ସେକ୍ ୟାସିନ, ଅନୁସୂତ ସାହୁ, ବରଦା ପୃଷ୍ଟି, ଗଗନ ମହାରଣା, ସେକ୍ ଜମାଲୁଦ୍ଦିନ୍, ସେକ୍ ବାବନ୍, ବିକାଶ, ରେନୁଝା, ସେକ୍ ହାକିମ ଓ ମହେଶଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଟେଲର ଶ୍ରମିକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରତି ଅମାବାସ୍ୟା ଦିନ ଟେଲର ଉଦ୍ୟୋଗ ଓ ଦୋକାନ ବନ୍ଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।