କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ହାତଧୁଆ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭଦେଲେ ବିଧାୟକ
କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖାଯାଇ ସହରର ୮ଟି ସ୍ଥାନରେ ହାତଧୁଆ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପବିତ୍ର ମହାବିଷୁବ ସଙ୍କ୍ରାନ୍ତୀ ଅବସରରେ ସେହି ପ୍ରକଳ୍ପକର ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । ସହରର ଇଛାପୁର, କାକଟଛକ, ତହସିଲ ଅଫିସ ଛକ, ସାନ୍ତସାହି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତୁଳସୀ ମହାବିଦ୍ୟାଳୟ, ତିନିମୁହାଣି ଛକ ଏବଂ ପୈାରସଂସ୍ଥା କାର୍ଯ୍ୟାଳୟ ପ୍ରଭୃତି ୮ଟି ସ୍ଥାନରେ ହାତଧୁଆ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ । ଏଥିସହିତ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ସମ୍ବିଧାନ ପ୍ରଣେତା ଡଃ. ବି.ଆର. ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ଉଦ୍ୟାନ ନିର୍ମାଣ ଏବଂ ବାଲାବାବା ମନ୍ଦିରର ମୁଖ୍ୟ ତୋରଣ ସହ ପାଚେରୀ ନିର୍ମାଣ ନିମନ୍ତେ ମଧ୍ୟ ବିଧାୟକ ଶ୍ରୀ ବେହେରା ଶୁଭ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୈାରସଂସ୍ଥାର ପ୍ରଶାସକ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ମାନସରଞ୍ଜନ ଧଳ, ସଞ୍ଜୟ କୁମାର ଜେନା, ଦେବଦାସ ମହାନ୍ତି, ଯୁବନେତା ମହେନ୍ଦ୍ର ମିଶ୍ର, ଧିରେନ ସାହୁ, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ମଙ୍ଗଳବରଣ ସିଂ, ବିଜୟ ପତି ପ୍ରମୁଖ ଉପସ୍ଥିତ ଥିଲେ ।