କେନ୍ଦ୍ରାପଡା ପୈାରାଞ୍ଚଳରେ ସିଟି ହସପିଟାଲ ପ୍ରତିଷ୍ଠା ପାଇଁ ମେଡିକାଲ ମିଳିତ କ୍ରୀୟାନୁଷ୍ଠାନ କମିଟିର ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳରେ ଏକ ସିଟି ହସପିଟାଲ ପ୍ରତିଷ୍ଠା କରାଯିବାକୁ କେନ୍ଦ୍ରାପଡା ମେଡିକାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ରାପଡା ସହରର କେନ୍ଦ୍ରସ୍ଥଳ ଖଡିଅଙ୍ଗରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରକାର ସହର ଉପକଣ୍ଠ ଶ୍ୟାମଗୁଡିଆର ନବ ନିର୍ମିତ ଗୃହକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତଦନୁଯାୟୀ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଚିକିତ୍ସାଳୟ ପ୍ରାକ ସ୍ୱାଧୀନତା କାଳରୁ ଉପଖଣ୍ଡ ଚିକିତ୍ସାଳୟ ଭାବେ ରହିଥିବା ବେଳେ ୧୯୯୩ମସିହାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟକ୍ଷମ ହୋଇ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲା । ଏହି ଚିକିତ୍ସାଳୟ ସ୍ଥାନାନ୍ତର ଯୋଗୁଁ ସହରବାସୀ ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିନ୍ତ ହୋଇଥିବା ବେଳେ ଅତି ନିକଟରୁ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବାକୁ ଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । କେନ୍ଦ୍ରାପଡା ପୈାରସଂସ୍ଥା ରାଜ୍ୟର ସର୍ବପୁରାତନ ପୈାରସଂସ୍ଥା ହୋଇଥିବା ବେଳେ ନିକଟରେ ଏହା ୧୫୦ବର୍ଷ ପୁରଣ କରିଛି । କେନ୍ଦ୍ରାପଡା ପୋରାଞ୍ଚଳର ଜନସଂଖ୍ୟା ବର୍ତ୍ତମାନ ୫୦ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହି ପୈାରାଞ୍ଚଳର ଅଧିବାସୀମାନେ ଏହି ଚିକିତ୍ସାଳୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଏଥିସହିତ କେନ୍ଦ୍ରାପଡା ବ୍ଲକର ୧୦ରୁ ଉର୍ଦ୍ଧ୍ୱ ଏବଂ ପଡୋଶୀ ପଞ୍ଚାୟତର ୫୦ହଜାରୁ ଉର୍ଦ୍ଧ୍ୱ ଲୋକମାନେ ଏହି ଚିକିତ୍ସାଳୟ ଦ୍ୱାରା ଉପକୃତ ହୋଇଥାନ୍ତି । ଚିକିତ୍ସାଳୟ ଏଠାରୁ ସ୍ଥାନାନ୍ତର ପରେ ବହୁ ଅର୍ଥ ବ୍ୟୟରେ ନିର୍ମିତ ହୋଇଥିବା ପ୍ରସସ୍ଥ ଭିତ୍ତିଭୂମି ଅଦରକାରୀ ହୋଇ ପଡି ରହିବ । ତେଣୁ ପୈାରାଞ୍ଚଳରେ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେହି ପୁରୁଣା ଚିକିତ୍ସାଳୟର ଭିତ୍ତିଭୂମିକୁ ଉପଯୋଗ କରି ସେଠାରେ ସହରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ସିଟି ହସପିଟାଲ ପ୍ରତିଷ୍ଠା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ମେଡିକାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଫୁଲ୍ଲ କୁମାର ସାହୁ, ହିବଜୁର ରହେମାନ, ମନୋଜ କୁମାର ସିଂ, ମହମ୍ମଦ ସଲିମ ଖାନ, ମହମ୍ମଦ ସେକ ଇନାୟତ, ସେକ ଗୋଫ୍ରାନ, ମହମ୍ମଦ ନିୟାଜ, ସେକ ଲିଆକତ ଅଲ୍ଲୀ, ମହମ୍ମଦ ଆଝାରୁଦ୍ଦିନ, ଗୋପିନାଥ ବାରିକ, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ