କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ବିଭିନ୍ନ ପଂଚାୟତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମଙ୍ଗଳବାର ବ୍ଲକ ଅନ୍ତର୍ଗତ ବିଭିନ୍ନ କରୋନା ସଙ୍ଗରୋଧ କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ରହୁଥିବା ପ୍ରବାସୀଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ । ଅଧ୍ୟକ୍ଷ ଶ୍ରୀ ବଳ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଉପ୍ରା ସ୍କୁଲ,କପାଳେଶ୍ୱର ବାବା ବୈକୁଣ୍ଠନାଥ ବ୍ରହ୍ମାଚାରୀ ଉଚ୍ଚ ବିଦ୍ୟାଳୟ,ବାରୁଆ ପଂଚାୟତର ତରାଣ୍ଡୋ ନୋଡାଲ ହାଇସ୍କୁଲ ପ୍ରଭୃତିରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ବୁଲି ସେଠାରେ ରହୁଥିବା ପ୍ରବାସୀଙ୍କ ଭଲମନ୍ଦ ସମ୍ପର୍କରେ ବୁଝିବା ସହିତ ସେମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ଓ ସଠିକ ସମୟରେ ସେମାନଙ୍କୁ ଜଳଖିଆ ଓ ରନ୍ଧା ଖାଦ୍ୟ ପ୍ରଭୃତି ଯୋଗାଇ ଦେବାକୁ ଉପସ୍ଥିତ ଥିବା ସରପଂଚ ଓ ନିର୍ବାହୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବାରୁଆ ପଂଚାୟତର ତରାଣ୍ଡୋ ନୋଡାଲ ହାଇସ୍କୁଲସ୍ଥିତ କେନ୍ଦ୍ରରେ ଘିଘିଡିଆ ଗ୍ରାମର ମଦନ ଦାସଙ୍କ ପୁଅ ଅକ୍ଷୟ ଦାସ ଗୁଜୁରାଟର ପାଣ୍ଡେପୁରାରୁ ସାଇକେଲରେ ଫେରି ରହୁଥିବା ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଧଳ ଜାଣିବାକୁ ପାଇଥିଲେ । ସମସ୍ତଙ୍କୁ ସରକାରଙ୍କ କୋଭିଡ ୧୯ ନିୟମ ମାନି ଚଳିବାକୁ ପରାମର୍ଶ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ।