କେନ୍ଦ୍ରାପଡା ବ୍ଲକ ପକ୍ଷରୁ କରୋନା ସଂକ୍ରମଣ ଜନିତ ପଦକ୍ଷେପ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ପକ୍ଷରୁ କରୋନା ଭୂତାଣୁ ଜନିତ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ଲକର ଇନ୍ଦୁପୁର ବିରୂପା ମହାବିଦ୍ୟାଳୟରେ ଏକ ଶହେ ଶଯ୍ୟା ବିଶିଷ୍ଟ କରୋନା ଭୂତାଣୁ ସଂକ୍ରମିତ ଗୁରୁତ୍ତର ରୋଗୀମାନଙ୍କୁ ଚିକିତ୍ସା ନିମନ୍ତେ ଅସ୍ଥାଇ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନ ଗୃହରେ ରଖିବା ପାଇଁ ବ୍ଲକର ପ୍ରତ୍ୟେକ ପଂଚାୟତରେ ଅସ୍ଥାଇ ମେଡିକାଲ କ୍ୟାମ୍ପମାନ ଖୋଳାଯାଇଥିବା ବେଳେ ୨୭ଟି ପଂଚାୟତରେ ମୋଟ ୧୨୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ସୁଦ୍ଧା ବ୍ଲକର ୨୨ଟି ପଂଚାୟତରେ ୨୧ଟି ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ରୋଷେଇ କରାଯାଇ ୨୦୨୫ ମିଲ ବଂଟନ କରାଯାଇଛି । ସାମାଜିକ ସଚେତନତା ସୃଷ୍ଟି ନିମନ୍ତେ ବ୍ଲକ ପକ୍ଷରୁ ପ୍ରତ୍ୟେକ ଦିନ ୨ଟି ଗାଡିରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ପ୍ରତ୍ୟେକ ପଂଚାୟତରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ମଙ୍ଗଳବାର ସୁଦ୍ଧା ବ୍ଲକର ୨୭ଟି ପଂଚାୟତରେ ୧୮ହଜାର ୪ଶହ ଭତ୍ତା ହିତାଧିକାରୀଙ୍କୁ ପ୍ରାୟ ୩କୋଟି ୭୫ଲକ୍ଷ ଟଙ୍କା ବଂଟନ କରାଯାଇଛି । ବ୍ଲକର ମୋଟ ୩୨ହଜାର ୧୨୭ ରାସନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୪ମାସ ପାଇଁ ୧୯ହଜାର ୬୭୯କ୍ୱିଂଟାଲ ଚାଉଳ ଦିଆଯିବାକୁ ଥିବା ବେଳେ ସେଥିମଧ୍ୟରୁ ଆଜିସୁଦ୍ଧା ୫୬୪୧ ହିତାଧିକାରୀଙ୍କୁ ୩ହଜାର ୨୦୫କ୍ୱିଂଟାଲ ଚାଉଳ ପ୍ରଦାନ କରାଯାଇଛି । ଏଥିସହିତ ରାଜ୍ୟ ସରକାର ଘୋଷଣା କରିଥିବା ରାସନକାର୍ଡ ହିତାଧିକାରୀମାନଙ୍କୁ ଏକହଜାର ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରାଯାଇଛି ବୋଲି ବିଡିଓ ସୁଧିର କୁମାର ସିଂ ସୂଚନା ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ତତ୍ୱାବଧାନରେ ବ୍ଲକର ୨୭ଟି ପଂଚାୟତରେ ସମସ୍ତ କରୋନା ଭୂତାଣୁ ସଂକ୍ରମଣ ଜନିତ ସୁରକ୍ଷା ମୂଳକ ପଦକ୍ଷେପ, ସାମାଜିକ ସଚେତନତା ଓ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆଗେଇଚାଲିଥିବା ବିଡିଓ ଶ୍ରୀ ସିଂ ସୂଚନା ଦେଇଛନ୍ତି ।


