କେନ୍ଦ୍ରାପଡା ବ୍ଲକ ପରିସରରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଡ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜଣେ ସରପଞ୍ଚ ଙ୍କ ସ୍ୱାମୀଙ୍କୁ ମାଡ ହୋଇଥିବା ନେଇ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ସରପଞ୍ଚଙ୍କ ସ୍ୱାମୀ ଅନନ୍ତ ପ୍ରସାଦ ମଳିକ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସରପଞ୍ଚଙ୍କ ପ୍ରତିନିଧି ଭାବେ କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟକୁ ଏକ ରାସ୍ତା କାମ ବିଷୟରେ ବୁଝିବାକୁ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ୩୦ ସମୟରେ ଆସିଥିଲେ । ବିଡିଓଙ୍କର କିଛି ଜରୁରୀ କାର୍ଯ୍ୟ ଥିବାରୁ ସେ ଅପେକ୍ଷା କରିବାକୁ ତାଙ୍କୁ କହିଥିଲେ । ଏହି ସମୟରେ ଚାରିଗାଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସତ୍ୟପ୍ରିୟ ମହାନ୍ତି କୌଣସି କଥାକୁ ନେଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ବ୍ଲକ ପରିସରରେ ପହଞ୍ଚି ଜିଆରଏସ୍ ସତ୍ୟପ୍ରିୟ ମହାନ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି ।