କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ବାର୍ଷିକ ଉତ୍ସବ ଗରାପୁରସ୍ଥିତ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ । ପ୍ରାଥମିକ ଶିକ୍ଷକମାନଙ୍କ ପରିଚିତି ଆଉ କାହା ସହ ସମାନ ହୋଇପାରିବ ନାହିଁ । ପ୍ରାଥମିକ ଶିକ୍ଷକ ଜଣେ ଛାତ୍ରର ମୂଳଦୁଆକୁ ଗଢି ଥାନ୍ତି । ଫଳରେ ସେହି ଛାତ୍ରଟି ଭବିଷ୍ୟତରେ ମଣିଷ ପରି ମଣିଷ ଟିଏ ହୋଇ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଦେଶ ଓ ସମାଜ ଗଢିବାକୁ ଜଣେ ଶିକ୍ଷକ ବୃତ୍ତିକୁ ଆଦରି ନେଇଥାଏ । ଯେତେବେଳେ ପ୍ରାଥମିକ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରଗଠନ ଓ ଦେଶ ପ୍ରିତି ଶିଖାଇ ପାରିବେ ସେତେବେଳେ ସମସ୍ତ ସରକାରୀ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ତାଙ୍କ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଗରାପୁରସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଏକ ପାଠାଗାର ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ ଯୋଗଦେଇ ଶିକ୍ଷକମାନଙ୍କ ଉପରେ ଶିକ୍ଷା ବ୍ୟବସ୍ଥା ନିର୍ଭର କରେ । ଆନ୍ତରିକତା ଓ କର୍ତ୍ତବ୍ୟନିଷ୍ଠ ଭାବରେ ଶିକ୍ଷକ ବୃତ୍ତିକୁ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିସହିତ ଶିକ୍ଷକ ସଂଗଠନ ଶିକ୍ଷା ବ୍ୟବସ୍ଥାକୁ ଦିଗଦର୍ଶନ ଦେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ଶିକ୍ଷାବିତ ଓ ପରିବେଶବିତ କାଶୀନାଥ ରାଉତରାୟ, ସହମଣ୍ଡଳ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି. ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ଭାଷ୍କର ଚନ୍ଦ୍ର ଦାଶ ଓ ପ୍ରମୋଦ କୁମାର ସିଂ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଅନନ୍ତ ଚରଣ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଶୈଳବାଳା ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଶିକ୍ଷକ ରାଧାନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଙ୍ଘ ପକ୍ଷରୁ ଶିକ୍ଷକ ମାନଭଞ୍ଜନ ପ୍ରଧାନ, ପ୍ରଶାନ୍ତ ମହାକୁଡ, ରମାକାନ୍ତ ରାଉତ, ଅନିଲ କୁମାର ଦାସ, ରମାକାନ୍ତ ସ୍ୱାଇଁ, ସବିତା ପଣ୍ଡା, ସୁପ୍ରଭାରାଣୀ ପ୍ରଧାନ, କ୍ଷେତ୍ରମଣୀ ଦେଇ, ସେକ ଖତିବ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।


