କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା ଉଦଯାପିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଦ୍ୱିଦିବସୀୟ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ପାଦକ ଉମାକାନ୍ତ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନ୍ଦର ମନ ଓ ଶରୀର ପାଇଁ କ୍ରୀଡାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମନ ସୁସ୍ଥ ରହିଲେ ସମାଜରେ ଭଲ କାମ କରିବାକୁ ପ୍ରେରଣା ମିଳି ଥାଏ । ତେଣୁ ମନରେ ଏକାଗ୍ରତା ଆଣି କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିଥାଏ ବୋଲି ଶ୍ରୀ ରାଉତ କହିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ କୁମୁଦିନୀ ଦେଇ, କାଉନସିଲର ସେକ ଅସଲମ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ପିଲାମାନେ ପହଞ୍ଚି ପାରିବ ବୋଲି କହିଥିଲେ । ଅତିଥିମାନେ ୧୦୦, ୨୦୦, ୪୦୦ ଓ ୧୫୦୦ମିଟର ଦୈାଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସକସ ଫିଙ୍ଗା, ପଟିଙ୍ଗ ଦ ସଟ୍ , ଫୁଟବଲ, ଭଲିବଲ, କବାଡି, ଖୋକୋ, କ୍ରୀକେଟ, ବ୍ୟାଡମିଣ୍ଟନ ଓ ଯୋଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରିଥିଲେ । ଶିକ୍ଷୟିତ୍ରୀ ସଶ୍ମିତା ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରତାପ ହରିଚନ୍ଦନ, ଚିତ୍ତରଞ୍ଜନ ମିଶ୍ର, ଜ୍ୟୋତିର୍ମୟୀ ଶତପଥୀ, ଶଶିରେଖା ସାହୁ, ମଧୁସୁଦନ ଦାସ, ଗଜେନ୍ଦ୍ର ସ୍ୱାଇଁ, ଇତିଶ୍ରୀ ପ୍ରଧାନ, ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ଏଭଳିି ପ୍ରତିଯୋଗିତାର ଆୟୋଜନ ହୋଇଛି ବୋଲି କହିିଥିଲେ । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୪୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କ୍ରୀଡା ଶିକ୍ଷକ,ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ଆଥଲେଟିକ କୋଚ ସୈାକତ ଖାନଙ୍କ ନେତୃତ୍ୱରେ ସରୋଜ କୁମାର ଲୁଗୁନ, ସେକ ଓବେଦୁଲା, ସରୋଜିନୀ ସ୍ୱାଇଁ, ସୁହାନା ପରୱିନ, ସେକ ଅବୁ ଜଲାଲ ପ୍ରମୁଖ କ୍ରୀଡାବିତମାନେ ଦୁଇଦିନ ଧରି ଆୟୋଜିତ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କୁନି ଧାବକ ସାହାଦତ ଖାନଙ୍କ ସମେତ ସମସ୍ତ ସହଯୋଗକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।