କେନ୍ଦ୍ରାପଡା ମହାବିଦ୍ୟାଳୟ ମୁଖ୍ୟ ଅଟ୍ଟାଳିକା କାନ୍ଥ ଭୁଷୁଡି ପଡିବା ଆଶଙ୍କା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବଦ୍ୟାଳୟର ମୁଖ୍ୟ ଅଟ୍ଟାଳିକାର କାନ୍ଥ ଭୁଷୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଠାରୁ ବାମ ପଟରେ ଥିବା ସମାଜଶାସ୍ତ୍ର ବିଭାଗ ଦେଇ ଉପର ମହଲାକୁ ଯିବା ପାଇଁ ଉଦ୍ଦିଷ୍ଟ ସିଡି ପାଖ ମିନି କନଫରେନ୍ସ ହଲ ସମ୍ମୁଖ ବାରଣ୍ଡାର କାନ୍ଥ ଓ ତାଜା ସଂପୂର୍ଣ୍ଣ ଗୋଟିଏ ପାଶ୍ୱର୍କୁ ଢଳି ରହିିଛି । ଫଳରେ ଏହି ପଥ ଦେଇ ଉପରମହଲା, ପାଠାଗାର, ତଳମହଲାରେ ଥିବା ଶ୍ରେଣୀ କକ୍ଷ ଓ ବାଣିଜ୍ୟ ବିଭାଗର ବ୍ଲକକୁ ଦୈନିକ ଯାତାୟତ କରୁଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । କେଉଁ ମୁହୂର୍ତ୍ତରେ ଏହି କାନ୍ଥ ଓ ତାଜା ଯେ ଖସିନପଡିବ ତାହା କହିହେବ ନାହିଁ । ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ଏହି କାନ୍ଥ ଓ ତାଜା ରହିଛି । ୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ପୁରୁଣା କୋଠାଟିର କେତେକ ଅଂଶ ଧିରେ ଧିରେ ଦୁର୍ବଳ ହୋଇ ପଡୁଥିବା ଦେଖାଯାଇଛି । ଆବଶ୍ୟକ ରକ୍ଷଣାବେକ୍ଷଣା ଅଭାବରୁ ଏହି ପୁରୁଣା କୋଠାର ବିଭିନ୍ନ ଅଂଶ କ୍ରମେ କ୍ରମେ ନଷ୍ଟ ହେବାରେ ଲାଗିଛି । ୭ହଜାର ୫ଶହରୁ ଅଧିକ ଛାତ୍ରଛାତ୍ରୀ ପାଠପଢୁଥିବା ରାଜ୍ୟର ଏହି ସର୍ବବୃହତ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଏକବର୍ଷରୁ ଉର୍ଦ୍ଧ୍ୱ ହେବ କୈାଣସି ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଇନ୍ଦୁପୁର ବିରୂପା କଲେଜର ଅଧ୍ୟକ୍ଷ କାମଚଳା ଅଧ୍ୟକ୍ଷ ଭାବେ ଗତ ୯ମାସ ହେବ ଦାୟିତ୍ୱରେ ଅଛନ୍ତି । କିନ୍ତୁ କାମଚଳା ଅଧ୍ୟକ୍ଷ ହୋଇଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁନାହାନ୍ତି । ସ୍ଥାୟୀ ଅଧ୍ୟକ୍ଷ ରହିଲେ କଲେଜର ଉନ୍ନତି ଦ୍ରୁତ ଗତିରେ ହେବା ସମ୍ଭବ ହୋଇପାରିବ ବୋଲି ଜଣେ ଅଧ୍ୟାପକ କହିଛନ୍ତି । ତାଙ୍କ କହିବା ଅନୁଯାୟି ସରକାର ତୁରନ୍ତ ଅଧ୍ୟକ୍ଷ ପଦରେ ଜଣେ ସ୍ଥାୟୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦେବା ଉଚିତ । କିନ୍ତୁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇପାରୁ ନାହିଁ । ଫଳରେ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଅବସ୍ଥାରେ ମହାବିଦ୍ୟାଲୟ ପରିସରରେ ଚଳପ୍ରଚଳ କରୁଛନ୍ତି । ବିପଦପୂର୍ଣ୍ଣ ଅଟ୍ଟାଳିକା ଶିକ୍ଷାନୁଷ୍ଠାନ ପରିସରରେ ରହିବା ଦ୍ୱାରା ଅନେକ ସ୍ଥାନରେ କାନ୍ଥ ଭୁଷୁଡି ଛାତ୍ରଛାତ୍ରୀ ମୃତାହତ ହୋଇଛନ୍ତି । ତେଣୁ ସେଭଳି ଘଟଣା କେନ୍ଦ୍ରାପଡା ମହାବିଦ୍ୟାଳୟରେ ଘଟିବା ପୂର୍ବରୁ ଅଟ୍ଟାଳିକାର ମରାମତି କରାଯିବା ଉଚିତ ବୋଲି ଅଧ୍ୟାପକ ଜଣକ କହିଛନ୍ତି । ଜଣେ ଛାତ୍ରୀ କହିଛନ୍ତି ଯେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଏହି କାନ୍ଥ ଓ ତାଜା ପ୍ରତି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡିଲେ କିଏ ଦାୟୀ ରହିବ ତାହା କର୍ତ୍ତୃପକ୍ଷ ଜାଣିବା ଉଚିତ । ତୁରନ୍ତ ଏହି କାନ୍ଥ ଓ ତାଜା ମରାମତି କରାଯିବାକୁ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଏସମ୍ପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଜିତ ବୋଷଙ୍କୁ ପଚାରିବାରେ ସେ କୁହନ୍ତି ଯେ ୫-ଟି ଯୋଜନାରେ ଆସିଥିବା ଅନୁଦାନରେ ଖୁବଶୀଘ୍ର ଏହି କାନ୍ଥ ଓ ତାଜାର ମରାମତି କାର୍ଯ୍ୟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ