କେନ୍ଦ୍ରାପଡା ମହାବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରତିବର୍ଷ ଭଳି “ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଛି । ଚଳିତବର୍ଷ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ପ୍ରସ୍ତର ଓ କଳା ଭାଷ୍କର୍ଯ୍ୟ ଶିଳ୍ପୀ ପଦ୍ମ ଚରଣ ଓଝାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ଓଝା କେନ୍ଦ୍ରାପଡା ମହାବିଦ୍ୟାଳୟର ତୋରଣ ନିକଟରେ ପଥର ଖୋଦେଇ ପୁସ୍ତକ ଓ ଲାଲ୍‌ଟପ ଧରିଥିବା ପ୍ରତିମୂର୍ତ୍ତି ନିର୍ମାଣର ଦାୟିତ୍ୱ ହାତକୁ ନେଇଛନ୍ତି ଏବଂ କେନ୍ଦ୍ରାପଡା ମହାବିଦ୍ୟାଳୟର ଏହି ସମ୍ମାନ ତାଙ୍କୁ ଗୈାରବାନ୍ୱିତ କରିଛି ବୋଲି ପୁରସ୍କାର ଗ୍ରହଣ କରି ସେ କହିଛନ୍ତି । ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡଃ. ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲାଯିବା, ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଅଭାବ ପୁରଣ କରାଯିବା ଓ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ନିମନ୍ତେ ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇତିହାସ ସୃଷ୍ଟି ହୁଏ ଛୋଟ ଜାଗାରେ କିନ୍ତୁ ଲେଖାଯାଏ ବଡ ଜାଗାରେ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ଭଳି ଏକ ଗ୍ରାମୀଣ ଛୋଟ ସହରରେ ପ୍ରତିଷ୍ଠିତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ କିଭଳି ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯିବ ସେଥିପାଇଁ ଆମ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ ବୋଲି ପ୍ରଫେସର ନାୟକ କହିଥିଲେ । ପ୍ରକୃତ କେନ୍ଦ୍ରାପଡା ଉପରେ ଇତିହାସ ଲେଖାଯିବାର ଆବଶ୍ୟକତା ରହିଥିବା ସେ ମତବ୍ୟକ୍ତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ ସହ ଉତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମହାବିଦ୍ୟାଳୟର ଐତିହ୍ୟ ସମ୍ପର୍କରେ ସୂଚନା ପ୍ରଦାନ ସହ ଏହା କିପରି ଦେଶରେ ସମୃଦ୍ଧି ଲାଭ କରିବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟାପକ ଡଃ. ପ୍ରମୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘କମ୍ୟୁନିକ’ ପତ୍ରିକା ଉନ୍ମୋଚିତ ହୋଇଥିଲା । ଲେଫ୍ଟନାଣ୍ଟ ସୀମା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ସମାରୋହରେ ମହାବିଦ୍ୟାଳୟର ସେବାନିବୃତ୍ତ ପ୍ରଫେସର ଅନ୍ନପୂର୍ଣ୍ଣା ସୁଆର, ପ୍ରଫେସର ଲକ୍ଷ୍ମୀନାରାୟଣ ଅଧିକାରୀ, ପ୍ରଫେସର ବିଜୟ କୁମାର ଦାସ, ଡଃ. ସରୋଜିନୀ ମହାପାତ୍ର, ପ୍ରଫେସର ଉମାକାନ୍ତ ପଣ୍ଡା, ଡଃ. ପ୍ରଦୀପ କିଶୋର ଦାଶ, ପ୍ରଫେସର ତପନ କୁମାର ପତି, ପଦ୍ମ ଚରଣ ପାଇକରାୟ ପ୍ରମୁଖଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜ ଅଧ୍ୟାପିକା ଡଃ. ପ୍ରଭାମୟୀ ସାମନ୍ତରାୟ ଓ ଦୀପ୍ତି ରାୟଙ୍କୁ ପିଏଚଡି ଆୱାର୍ଡ ନିମନ୍ତେ ସମ୍ବର୍ଦ୍ଧିତ କରାଯିବା ସହ କଲେଜର ସମସ୍ତ ବିଭାଗର ଟପରମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଡଃ. ରାମଚନ୍ଦ୍ର ବେହେରା, ଡଃ. ଅପର୍ଣ୍ଣା ମହାନ୍ତି, ଡଃ. ବାସୁଦେବ ଦାସ, ନନ୍ଦ କିଶୋର ପରିଡା, ସେକ ସମସୁର, ବିନ୍ଦୁମିତ୍ର ବଳ, କୈଳାସ ଚନ୍ଦ୍ର ବରାଳ, ଗିରିଶ ଚନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ଜେନା, ଅଜୟ ସାମଲ, ଏଲୀନା ମହାନ୍ତି, ଗୋକୁଳି ଚନ୍ଦ୍ର ଜେନା, ଜ୍ଞାନୀନ୍ଦ୍ର ଦାଶ, ପ୍ରଭାକର ମଲ୍ଲିକ, ମେଜର ମନୋରଞ୍ଜନ ମହାନ୍ତି, ରାମଚନ୍ଦ୍ର ପାତ୍ର, ବିଶ୍ୱରଞ୍ଜନ ପୁହାଣ, ଗୈାର ପ୍ରସାଦ ଷଡଙ୍ଗୀ, ରମାନାଥ ମହାନ୍ତି, ସେକ ସାହାବୁଦ୍ଦିନ ଅଲ୍ଲୀ, ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଦେବକାନ୍ତ ଷଡଙ୍ଗୀ, ପ୍ରଶାନ୍ତ କୁମାର ସାହୁ, ପୂର୍ବାସା ପ୍ରିୟଦର୍ଶିନୀ, ସୁବ୍ରତ ପାତ୍ର, ଅଚ୍ୟୁତ ମହାରଣାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାକ୍ତନ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ, ପତ୍ରକାର ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଡଃ. ଦେବେନ୍ଦ୍ର ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ