କେନ୍ଦ୍ରାପଡା ରକ୍ତଭଣ୍ଡାରରେ ଆବଶ୍ୟକତା ଅନୁଯାଇ ରକ୍ତ ନାହିଁ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ ରକ୍ତ ଭଣ୍ଡାରରେ ଆବଶ୍ୟକତା ଅନୁଯାଇ ରକ୍ତ ନଥିବାର ଜଣାପଡିଛି । ରକ୍ତଭଣ୍ଡାର ଭାରପ୍ରାପ୍ତ ଅଧିକାରୀ ଡା.ମାନସ କୁମାର ଜେନାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଏବେ ରକ୍ତଭଣ୍ଡାରରେ ଏ(+)ଟିଭ ରକ୍ତ – ୩ଟି ଥିବାବେଳେ ବି (+)ଟିଭ – ୨ଟି, ଏବି (+) ଟିଭ ୨ଟି ଏବଂ ଓ (+) ଟିଭ ରକ୍ତ ୧୨ଟି ଅଛି । ଏ ( -) ଟିଭ ଓ ବି ( – )ଟିଭ ରକ୍ତ ଜମା ନଥିବା ଜଣାପଡିଛି । ବି (+)ଟିଭ ଏବଂ ଓ (+) ଟିଭ ରକ୍ତର ଅନେକ ସମୟରେ ଅଧିକ ଆବଶ୍ୟକତା ପଡୁଥିବା ବେଳେ ବର୍ତ୍ତମାନ କୋଭିଡ – ୧୯ ଯୋଗୁଁ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନଥିବାରୁ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏତଦବ୍ୟତିତ ଜିଲ୍ଲାରେ ଥିବା ପ୍ରାୟ ୧୬୦ ଥାଲାସେମିଆ ରୋଗୀଙ୍କ ନିମନ୍ତେ ଦୈନିକ ୨୦ରୁ ୨୫ଟି ବି (+)ଟିଭ ରକ୍ତର ଆବଶ୍ୟକତା ପଡୁଛି । ଜଣେ ଜଣେ ଥାଲାସେମିଆ ରୋଗୀଙ୍କର ଦୈନିକ ୨ରୁ ୩ଟି ରକ୍ତ ମଧ୍ୟ ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ପରିସ୍ଥିତିରେ ରକ୍ତଦାନ ଶିବିରର ଆୟୋଜନର ନିତ୍ୟାନ୍ତ ଆବଶ୍ୟକ ପଡୁଥିବାରୁ ଆସନ୍ତା ସପ୍ତାହରେ ଏଭଳି ଶିବିରର ଆୟୋଜନ କରାଯିବାକୁ ବ୍ୟବସ୍ଥା କରାଯାଉଥିବା ରକ୍ତ ଭଣ୍ଡାର ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଡା. ଜେନା କହିଛନ୍ତି । ଅନ୍ୟପଟରେ ଏହି ରକ୍ତ ଭଣ୍ଡାରରେ ମାତ୍ର ସିଷ୍ଟମ ସପୋର୍ଟ ଇଞ୍ଜିନିୟର ଭାବେ ରାକେଶ କୁମାର ମିଶ୍ର ଓ ଭାରପ୍ରାପ୍ତ ଲାବରୋଟୋରୀ ଟେକନିସିଆନ ଭାବେ ଦୀପକ କୁମାର ବରାଳ ନାମକ ୨ଜଣ ମାତ୍ର କର୍ମଚାରୀ ଦିନରାତି ୨୪ଘଂଟା ସେମାନଙ୍କ ଦାୟୀତ୍ୱ ସମ୍ପାଦନ କରୁଥିବାର ଦେଖାଯାଇଛି । ତେଣୁ ଅଧିକ କର୍ମଚାରୀ ଏହି ରକ୍ତଭଣ୍ଡାର ପାଇଁ ନିଯୁକ୍ତି କରାଯିବାର ଜରୁରୀ ଆବଶ୍ୟକ ରହିଛି । ଅନେକ ସମୟରେ ମହିଳା ରକ୍ତଦାତା ଏଠାରେ ରକ୍ତଦାନ କରୁଥିବାରୁ ସେମାନଙ୍କ ପାଇଁ ଜଣେ ମହିଳା ନର୍ସଙ୍କୁ ଏଠାରେ ନିଯୁକ୍ତି ଦିଆଯିବା ଉଚିତ । କୋଭିଡ -୧୯ ଯୋଗୁଁ ସାରା ଜିଲ୍ଲାରେ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ ଏହି ରକ୍ତଭଣ୍ଡାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଉପରୋକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉଚିତ ।