କେନ୍ଦ୍ରାପଡା ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଭେଜାଲ ଘିଅ ଘଟଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀବଳଦେବଜୀଉ ମନ୍ଦିର ମଣୋହି ନୀତି ପାଇଁ ଗଚ୍ଛିତ ଗୁଆ ଘିଅ ଦୁର୍ଗନ୍ଧଯୁକ୍ତ ହେବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ମନ୍ଦିର ପ୍ରଶାସନ ଏହାକୁ ହାଲ୍‌କା ଭାବେ ଗ୍ରହଣ କରିଛି । ଘିଅ ଯୋଗାଣକାରୀ ସଂସ୍ଥା ଏହି ଦୁର୍ଗନ୍ଧଯୁକ୍ତ ଘିଅକୁ ଫେରାଇ ନେଇ ନୂତନ ଘିଅ ପ୍ରଦାନ କରି ନିଜର ଭୁଲ୍ ସଂଶୋଧନ କରିବାକୁ ଉଦ୍ୟମ କରିଛି । କିନ୍ତୁ ଏହି ଦୁର୍ଗନ୍ଧଯୁକ୍ତ ଘିଅ ପାଇଁ କିଏ ଦାୟୀ ତାହାର ପର୍ଦ୍ଦାଫାସ ନ ହେବାରୁ ଶ୍ରୀବଳଦେବଜୀଉଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଉପରେ ଏହା କୁଠାରଘାତ କରିଛି । ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କ ପାଇଁ ଅନ୍ନ ପ୍ରସାଦ ନୀତି ସହିତ ଅନ୍ୟାନ୍ୟ ଭୋଗ ତିଆରି ନିମନ୍ତେ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ଘିଅ କିଣାଯାଇଥାଏ । ମନ୍ଦିର ଦେବୋତ୍ତର ସଂସ୍ଥା କଟକ କୋପରେଟିଭ୍ ମିଲ୍କ ପ୍ରଡ୍ୟୁସରର୍ସ ୟୁନିଅନ (ଏକ କ୍ଷୀର ଯୋଗାଣକାରୀ ସଂସ୍ଥା) ଠାରୁ ଘିଅ କିଣିଥାନ୍ତି । ଏହି ଯୋଗାଣକାରୀ ସଂସ୍ଥା ମନ୍ଦିରକୁ ଦେଇଥିବା ଘିଅ ଦୁର୍ଗନ୍ଧଯୁକ୍ତ ବୋଲି ଗୁରୁବାର ସନ୍ଧ୍ୟାରେ ମଣୋହି ପ୍ରସ୍ତୁତି ପାଇଁ ଆଣିବା ସମୟରେ ଜଣା ପଡିଥିଲା । ଏହି ଘିଅ ଟିଣରେ ଘିଅ ନିର୍ମାଣକାରୀ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାର ଷ୍ଟିକର୍ ମରାଯାଇଥିବା ବେଳେ ଏଥିରେ ବ୍ୟାଚ ନମ୍ବର, ପ୍ରସ୍ତୁତି ଏବଂ ବ୍ୟବହାର ଶେଷ ତାରିଖ ଲିପିବଦ୍ଧ ହୋଇନଥିଲା । କେଉଁ ପରିସ୍ଥିତିରେ ଯୋଗାଣକାରୀ ସଂସ୍ଥା ଏପରି ଟିଣ ଘିଅ ଦେଲେ ଏବଂ କେଉଁ ପରିସ୍ଥିତିରେ ଏହାକୁ ଦେବୋତ୍ତର ସଂସ୍ଥା ଗ୍ରହଣ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଭେଜାଲ ଘିଅ ସମ୍ପର୍କରେ ଶ୍ରୀବଳଦେବଜୀଉ ମନ୍ଦିର ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କଟକର ଯୋଗାଣକାରୀ ସଂସ୍ଥାକୁ ଏସମ୍ପର୍କରେ ଜଣାଇ ଦୁର୍ଗନ୍ଧଯୁକ୍ତ ଘିଅକୁ ଫେରାଇ ନେଇ ନୂତନ ଘିଅ ଦେବାକୁ କହିଥିଲେ । ସେହି ଅନୁଯାୟୀ ଶନିବାର ପୂର୍ବାହ୍ନରେ ଦୁର୍ଗନ୍ଧଯୁକ୍ତ ପାଞ୍ଚ ଟିଣ ଘିଅକୁ ସଂପୃକ୍ତ ସଂସ୍ଥା ଫେରାଇ ନେଇ ନୂତନ ପାଞ୍ଚ ଟିଣ ଘିଅ ଦେଇଛନ୍ତି । ହେଲେ ଏହି ଘିଅଟିଣରେ ଲଗାଯାଇଥିବା କାଗଜ ଷ୍ଟିକରରେ ଏକ ସରକାରୀ ସଂସ୍ଥାର ନାମ ଓ ଲୋଗୋ ଥିବା ବେଳେ ବିଶୁଦ୍ଧ ଘିଅ ଲେଖାଯାଇଛି । ପରିମାଣ ୧୫ଲିଟର ସହିତ (୧୩.୫୭୫ କି.ଗ୍ରା, ୪୦ ସେ. ଉତ୍ତାପରେ) ଲିପବଦ୍ଧ ହୋଇଛି । ଏଥିସହିତ ଓଡିଶାର ସମସ୍ତ ପ୍ରସିଦ୍ଧ ଦେବାଦେବୀ ମନ୍ଦିରରେ ବ୍ୟବହୃତ ଲେଖାଯାଇଛି । ମୂଲ୍ୟ (ଏମ୍‌ଆର୍‌ପି) ୮୯୯୦ ପ୍ରତି ଲିଟର ୬୬୬ଟଙ୍କା, ନିର୍ମାଣ (ଏମ୍‌ଏଫ୍‌ଜି) ୦୧/୧୦/୨୦୨୪, କର ସହିତ-ବି ନଂ-ସିଟିସି/୨୭୫/ଏ ଲିପିବଦ୍ଧ ହୋଇଛି । ଶେଷରେ ଡବା ଉପରେ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିଃ, ଭୁବନେଶ୍ୱର ବୋଲି ଲେଖା ଅଛି । ଏହି ଘିଅ ଟିଣ ପ୍ରଦାନ କରିଥିବା ଯୋଗାଣକାରୀ ସଂସ୍ଥା ତାଙ୍କ ପ୍ୟାଡ୍‌ରେ ଚିଠି ମାଧ୍ୟମରେ ବଳଦେବଜୀଉ ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି ଯେ ଏହି ଖବର ସମ୍ବାଦପତ୍ରରୁ ଜାଣିବା ପରେ ମନ୍ଦିରକୁ ଆସି ଘିଅକୁ ଯାଞ୍ଚ କରିଥିଲେ । ଘିଅରୁ ସାମାନ୍ୟ ଗନ୍ଧ ବାହାରୁଥିବା ଅନୁଭନ କରି ତିର୍ତ୍ତୋଲସ୍ଥିତ ପରୀକ୍ଷାଗାର ସହିତ ଯୋଗାଯୋଗ କରି ଅବଗତ ହୋଇଥିଲେ ଯେ ଉକ୍ତ ବ୍ୟାଚ୍‌ରେ ତିଆରି ହୋଇଥିବା ଘିଅରେ ସାମାନ୍ୟ ଆଦ୍ରତା ରହିଥିବାରୁ ଏହା ସାମାନ୍ୟ ଗନ୍ଧ ବାହାରୁଛି । ପରବର୍ତ୍ତୀ ସମୟରେ ପ୍ରେରଣ କରାଯାଉଥିବା ଘିଅର ଉତ୍ପାଦନ ତାରିଖ ଓ ସମାପ୍ତି ତାରିଖ ଉଲ୍ଲେଖ କରି ଶ୍ରୀବଳଦେବଜୀଉ ମନ୍ଦିରକୁ ଘିଅ ପ୍ରଦାନ କରାଯିବ ବୋଲି ତା-୪/୧୦/୨୦୨୪ ରିଖରେ ଚିଠି ମାଧ୍ୟମରେ ମାର୍କେଟିଂ ଇନ୍‌ଚାର୍ଜ ଲିଙ୍ଗରାଜ ପରିଡା ମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଏହି ଚିଠି ଅନୁଯାୟୀ ଶନିବାର ୫ଟିଣ ଘିଅ ମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ । କିନ୍ତୁ ସେହି ଘିଅ ଟିଣରେ ବ୍ୟାଚ ନମ୍ବର, ପ୍ରସ୍ତୁତି ତାରିଖ ଥିଲେ ମଧ୍ୟ ସମାପ୍ତି ତାରିଖ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନଥିବା ଦେଖରବାକୁ ମିଳିଛି । ଏହି ଦୁର୍ଗନ୍ଧଯୁକ୍ତ ଘିଅ ନକଲି କି ଭେଜାଲ ସେ ସମ୍ପର୍କରେ ତନଖି କରାଗଲା ନାହିଁ । ପ୍ରକୃତରେ ଏଥିପାଇଁ କିଏ ଦାୟୀ ସେ ବିଷୟରେ ଜାଣିବା ନିମନ୍ତେ ମନ୍ଦିର ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନକରି ନିରବ ରହିଲା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଗୋଟିଏ ଚିଠି ମାଧ୍ୟମରେ ଯୋଗାଣକାରୀ ସଂସ୍ଥା ଦୁଃଖ ପ୍ରକାଶ କରି ଖସିଗଲା । ପ୍ରକୃତ ରହସ୍ୟ ଜଣାପଡିଲା ନାହିଁ । ଆଗାମୀ ଦିନରେ ଏପରି କାହିଁକି ନ ହେବ ବୋଲି କେହି କହିପାରିବେ ନାହିଁ । ସୂଚନାଯୋଗ୍ୟ ଯେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଭୁବନେଶ୍ୱର ଓମ୍‌ଫେଡ୍‌ରୁ ସିଧାସଳଖ ଘିଅ ପ୍ରେରଣ କରାଯାଉଛି ବୋଲି ବଳଦେବଜୀଉ ମନ୍ଦିର ସେବାୟତ ନୃସିଂହ ପତ୍ରୀ କହିଛନ୍ତି । ଠିକ୍ ଏହିପରି ଶ୍ରୀବଳଦେବଜୀଉ ମନ୍ଦିରକୁ ସିଧାସଳଖ ଭୁବନେଶ୍ୱର ଓମ୍‌ଫେଡ୍‌ରୁ ଘିଅ ଅଣାଯିବା ଉଚିତ୍ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ