କେନ୍ଦ୍ରାପଡା ସଦର ଥାନାରେ ପୋଲିସ ଦ୍ୱାରା ପ୍ରେମି ଯୁଗଳଙ୍କ ବିବାହ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଓ ଧୋକା ଦେଇ ବିବାହ କରିବାକୁ ରୋକଠୋକ ମନାକରିବା ପରେ ଶେଷରେ ପ୍ରେମିକଙ୍କ ଘର ଦୁଆର ମୁହଁରେ ବୁଧବାର ଧାରଣା ଦେଇଥିଲେ ପ୍ରେମିକା ଅର୍ଚ୍ଚନା । ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଥାନାକୁ ଉଠାଇ ଆଣିଥିଲା । ଥାନାରେ ଗୋଟିଏ ଦିନ ଅଟକ ରହିବା ପରେ ଉଭୟଙ୍କ ପରିବାର ଥାନାରେ ପହଞ୍ଚିଆପୋଷ ଆଲୋଚନା କରିଥିଲେ । ଏହାପରେ ସେହି ଥାନା ପରିସରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ପ୍ରେମିକ ଓ ପ୍ରେମିକାଙ୍କ ସହମତିରେ ଉଭୟ ମାଳା ବଦଳାଇ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ପୋଲିସ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର କୈଳାସ ଚନ୍ଦ୍ର ବାରିକଙ୍କ ପୁଅ ସଚ୍ଚିନ୍ଦ୍ର(୩୨) ସେହି ଗ୍ରାମର ଧ୍ରୁବ ମଳିକଙ୍କ ଝିଅ ଅର୍ଚ୍ଚନା(୨୪)ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ଦେବା ସହିତ ହାତରେ ଶଙ୍ଖା ପିନ୍ଧାଇ ଦେଇ ବିବାହ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତେ ଉଭୟ ନବ ଦମ୍ପତ୍ତିଙ୍କୁ ଆଶ୍ରିର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ସରୋଜ କୁମାର ସାହୁ, ଏ.ଏସ.ଆଇ. ମାମି ଦେଇ, କପାଳେଶ୍ୱର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି, ଗୁଲନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ପିତବାସ ବେହେରା, ମୀନକେତନ ମହାନ୍ତି, ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବିଗତ ୪ବର୍ଷ ଧରି ଉଭୟ ପ୍ରେମିକ ଓ ପ୍ରେମିକା ଉଭୟଙ୍କୁ ଭଲ ପାଉଥିଲେ । ସଚ୍ଚିନ୍ଦ୍ରଙ୍କ ପରିବାର ଏକଥା ଜାଣିବା ପରେ ଏହି ବିବାହକୁ ବିରୋଧ କରିଥିଲେ । ଫଳରେ ସଚ୍ଚିନ୍ଦ୍ର ଘର ଛାଡି ପଳାଇଯାଇଥିବା ବେଳେ ଅର୍ଚ୍ଚନା ସଚ୍ଚିନ୍ଦ୍ରଙ୍କ ଘର ଦୁଆରମୁହଁରେ ଧାରଣାରେ ବସିଥିଲେ ।


