କେନ୍ଦ୍ରାପଡା ସହରରେ ସି.ସି.ଟିଭି ବ୍ୟବସ୍ଥା ଉଦଘାଟିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ ୍‌):କେନ୍ଦ୍ରାପଡା ସହରରେ ସି.ସି.ଟିଭି ବ୍ୟବସ୍ଥାର ଶୁଭଉଦଘାଟନୀ ଉତ୍ସବ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୁଣା ବସଷ୍ଟାଣ୍ଡସ୍ଥିତ ଟାଉନ ଫାଣ୍ଡି ପରିସରରେ ଏହି ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ । କେନ୍ଦ୍ରାଚଂଳ ଡି.ଆଇ.ଜି.ଆଶିଷ କୁମାର ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ବେହେରାଙ୍କ ସହିତ ଫିତା କାଟି ସହରର ସି.ସି.ଟିଭି ବ୍ୟବସ୍ଥାକୁ ଉଦଘାଟନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କ ବିଧାୟକ ପାଣ୍ଠିରୁ ମଞ୍ଜୁର ହୋଇଥିବା ୧୫ଲକ୍ଷ ଟଙ୍କା ଅନୁଦାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟରେ ସହରର ବିଭିନ୍ନ ସ୍ଥାନରେ ୩୮ଟି ସି.ସି.ଟିଭି ଲାଗିଥିବା ସମ୍ପର୍କରେ କେନ୍ଦ୍ରାପଡା ସହରରେ ସିସିଟିଭି ଇନଷ୍ଟାଲେସନ ଦାୟିତ୍ୱ ନେଇଥିବା ଦେବନାର କରପସୋଲ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ତିନିମୁହାଣି ଛକ, ନୂଆ ବସଷ୍ଟାଣ୍ଡ, କାକଟଛକ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ବଳଗଣ୍ଡି,ମେଡିକାଲ ଛକ, ସାନ୍ତସାହି, ସାନମଙ୍ଗଳା, ଇଛାପୁର, ସିଭିଲ କୋର୍ଟ ନିକଟ ବାଇପାସ, ବାଲାବାବା ଛକ ପ୍ରଭୃତି ସ୍ଥାନରେ ଏହିସବୁ ସିସିଟିଭି ଲାଗିଛି । ପ୍ରାୟ ୧୭ଲକ୍ଷ ଟଙ୍କା ଏଥିନିମନ୍ତେ ବ୍ୟୟ ହେବ ବୋଲି ଦେବନାର କରପସୋଲ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡା ସହରର ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସହରରେ ଏହି ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । କେନ୍ଦ୍ରାଚଂଳ ଡି.ଆଇ.ଜି.ଶ୍ରୀ ସିଂ ସୁରକ୍ଷା ଦୃଷ୍ଟିରୁ ସହରରେ ବର୍ତ୍ତମାନ ପାଇଁ ୩୮ଟି ସି.ସି.ଟିଭି ଲଗାଯାଇଥିବା ବେଳେ ଭବିଷ୍ୟତରେ ଆବଶ୍ୟକତା ଅନୁଯାଇ ଅଧିକ ସି.ସି.ଟିଭି ଲଗାଯିବ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଯୋଜନାରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଅତିରିକ୍ତ ଏସପି ଅମୀତା ପଟ୍ଟନାୟକ, ଅତିରିକ୍ତ ଏସପି ଗାଗାରିନ ମହାନ୍ତି,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା,ହୋମଗାର୍ଡ କମାଣ୍ଡାଂଟ ଏସ.ଏନ.ନାୟକ,ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ,ଟାଉନ ଥାନା ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ