କେନ୍ଦ୍ରାପଡା ସହରର ପ୍ରବେଶ ଦ୍ୱାରରେ ଚିତ୍ରାଙ୍କିତ କଳାକୃତିର ସଫେଇ କଲେ ବିଧାୟକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୁହୁରିଆସ୍ଥିତ କେନ୍ଦ୍ରାପଡା ସହରର ପ୍ରବେଶ ଦ୍ୱାରରେ ଚିତ୍ରାଙ୍କିତ କଳାକୃତିର ସଫେଇ କାର୍ଯ୍ୟରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଯୋଗଦେଇ ନିଜେ ସଫେଇ କରିଥିବା ଦେଖିବାକୁ ମିଳିଛି । ବିଗତ କୋଭିଡ ମହାମାରୀ ସମୟରେ ବିଧାୟକଙ୍କ ପରାମର୍ଶ ଓ ସହାୟତାରେ ଦୁହୁରିଆସ୍ଥିତ ସହରର ପ୍ରବେଶ ଦ୍ୱାରକୁ ବିଭିନ୍ନ କଳାକୃତିରେ ଚିତ୍ରାଙ୍କିତ କରାଯାଇଥିଲା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୯୩୪ମସିହାରେ କେନ୍ଦ୍ରାପଡା ପଦଯାତ୍ରା ଠାରୁ ଆରମ୍ଭ କରି ଭିତରକନିକା ଅଭୟାରଣ୍ୟ ଭଳି ବହୁତ ଗୁଡିଏ ଅତୀତର ଅଭୁଲା ସ୍ମୃତିର କଳାକୃତିରେ ଚିତ୍ରାଙ୍କିତ ହୋଇଥିଲା ଦୁହୁରିଆସ୍ଥିତ ସହରର ପ୍ରବେଶ ଦ୍ୱାର । କିନ୍ତୁ ସେହି କଳାକୃତି ଉପରେ ଧୂଳି ଧୂସରର ଆବରଣ ପଡିବା, ବିଭିନ୍ନ ପୋଷ୍ଟର ମରାଯିବା ସହିତ ଛୋଟ ଛୋଟ ଅନାବନା ଗଛ ତାହା ଉପରେ ଉଠି ସତେ ଯେମିତି ସେସବୁ କଳାକୃତିକୁ ଲୁଚାଇଦେବାକୁ କିମ୍ବା ବିକୃତ କରିଦେବା ଭଳି ଦେଖାଯାଉଥିଲା । ଏଭଳି ଘଟଣା ବିଧାୟକ ଶ୍ରୀ ବେହେରାଙ୍କ ଦୃଷ୍ଟି ଗୋଚର ହେବାରୁ ତାହାର ସଫେଇ ପାଇଁ ଶ୍ରୀ ବେହେରା ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ସୋମବାର ସକାଳୁ ନିଜେ ବିଧାୟକ ଶ୍ରୀ ବେହେରା ସେଠାରେ ପହଞ୍ଚି ସଫେଇ କରିବା ଦେଖର ଧିରେ ଧିରେ ଅନ୍ୟମାନେ ତାଙ୍କ ସହିତ ଯୋଗଦେଇଥିଲେ । ବିଧାୟକ ଶ୍ରୀ ବେହେରା ନିଜେ କାନ୍ଥରୁ ପୋଷ୍ଟର ଚିରିବା ସହ କାନ୍ଥକୁ ବ୍ରସରେ ଘସି ସଫା କରିବା ଘଟଣା ସେହିରାସ୍ତା ଦେଇ ଯାଉଥିବା ଲୋକମାନଙ୍କୁ ଏକ ଭିନ୍ନ ପ୍ରକାର ବାର୍ତ୍ତା ପ୍ରଦାନ କରିଥିଲା । ଏହି ସଫେଇ କାର୍ଯ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ସହିତ ସମସ୍ତ ସ୍ୱେଛାସେବୀ ଛାତ୍ରଛାତ୍ରୀମାନେ ସାମିଲ ହୋଇ ସଫେଇ କରିଥିଲେ । ଏହି ସଫେଇ କାର୍ଯ୍ୟ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କର ଏହି ସଫେଇ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଯୁବନେତା ସଂଗମ କେଶରୀ ସାମଲ, ବାରୋ ପଞ୍ଚାୟତ ସରପଞ୍ଚ ଗୋପିନାଥ ମଲିକ, ସନାତନ ମୁଦୁଲି, ଆଲୋକ ସାହୁ, ଲୋହିତ ମହାନ୍ତି, ଅନିଲ ପତି, ଜମଧର ସମିତି ସଭ୍ୟ ଦେବାଶିଷ ଦାସ, ସରପଞ୍ଚ ରାଜକିଶୋର ଖୁଣ୍ଟିଆ, କାଉନସିଲର ପ୍ରଭାଶିଷ ପଣ୍ଡା, ଦାମୋଦର ଜେନା ପ୍ରମୁଖ ବିଜେଡି କର୍ମୀମାନଙ୍କ ସହିତ ଦୁହୁରିଆ ବଜାର କମିଟିର ସଦସ୍ୟମାନେ ଯୋଗଦେଇ ସଫେଇ କରି ଅନାବନା ଗଛକୁ କାଟି ପାଣିରେ ଧୂଳିର ଆସ୍ଥରଣକୁ ଧୋଇ ସଫା କରିଥିଲେ । ସହରକୁ ପରିଷ୍କାର ପରିଚ୍ଛନ କରି ଏକ ସୁସ୍ଥ ସମାଜ ଗଠନ କରିବା ଏବଂ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାକୁ ଏହି ଅବସରରେ ବିଧାୟକ ଶ୍ରୀ ବେହେରା କର୍ମି ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ସଫେଇ ପରେ ସହରର ପ୍ରବେଶ ଦ୍ୱାର ପୁନର୍ବାର ଚକମକ ହୋଇ ଉଠିଥିବା ଦେଖାଯାଇଛି ।