କେନ୍ଦ୍ରାପଡା ସାହିତ୍ୟ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଚଣ୍ଡିଆ ପ୍ୟାଲେସ ପରିସରରେ ଦ୍ୱିଦିବସୀୟ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ ପ୍ରଖ୍ୟାତ କଥାକାର ଡଃ. ରାମଚନ୍ଦ୍ର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି ସୃଜନଶୀଳତା ନିଜର ଆବେଗ ଏବଂ ସମ୍ବେଦନଶୀଳତାରେ ତିଆରି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସୃଜନଶୀଳ ବ୍ୟକ୍ତି ସମ୍ବେଦନଶୀଳ ହେବା ପାଇଁ ବାଧ୍ୟ । ଏବେ ଜୀବନ ଠାରୁ ସାହିତ୍ୟ ଅପସରି ଯାଉଛି । ପରପିଢି ମଧ୍ୟରେ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବାରେ ଆମେ ସଫଳ ହେଉନୁ । ଏହି ପରିପ୍ରେକ୍ଷୀରେ ଏଭଳି ସାହିତ୍ୟ ଉତ୍ସବର ଆବଶ୍ୟକତା ରହିଛି ବୋଲି ଡଃ. ବେହେରା କହିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ସାହିତ୍ୟିକ ତଥା ସ୍ତମ୍ବକାର ଦାଶ ବେନହୁର ଯୋଗଦେଇ ସାହିତ୍ୟ, ବିଳାସ, ଅଭିଳାସ ଓ ବାଧ୍ୟବାଧକତାରେ ଜଣେ ସାହିତ୍ୟ ଲେଖିପାରେ । ସାହିତ୍ୟ ଆମ ଜୀବନକୁ ସ୍ପନ୍ଦିତ କରିଛି । ସମାଜକୁ ବଦଳାଇବାର ସର୍ବୋକୃଷ୍ଟ ମାଧ୍ୟମ ହେଉଛି ସାହିତ୍ୟ । ସାହିତ୍ୟ ଜୀବନ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ ଓ ବିଶ୍ୱକୁ ପ୍ରସସ୍ତ ଦୃଷ୍ଟିରେ ଦେଖିବା ପାଇଁ ସାହିତ୍ୟ ଏକ ଗବାକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଖ୍ୟାତ ପ୍ରାବନ୍ଧିକ ତଥା ସମାଲୋଚକ ଡଃ. ବିଜୟାନନ୍ଦ ସିଂହ ଯୋଗଦେଇ ସମଗ୍ର ବିଶ୍ୱକୁ ଯୋଡିବା ପାଇଁ ସାହିତ୍ୟ ହେଉଛି ଏକ ମାଧ୍ୟମ । ଯିଏ ସାହିତ୍ୟ ସାଧନାକୁ ଆପଣେଇନେବ ସିଏ ସଚ୍ଚୋଟ ଭାବରେ ସାହିତ୍ୟ ସାଧନା କରିବା ଆବଶ୍ୟକ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ଯୋଗଦେଇ କହିଲେ ଯେ ନିଜ ଜ୍ଞାନର ପରିସୀମା ବୃଦ୍ଧି ପାଇଁ ସାହିତ୍ୟ ବହୁତ ସାହାଯ୍ୟ କରେ । ତେଣୁ ସମସ୍ତେ ଅଧ୍ୟୟନ ଉପରେ ନିଷ୍ଠା ରଖିବା ଉଚିତ ବୋଲି କହିଥିଲେ । କେନ୍ଦ୍ରାପଡା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୈାଧୁରୀ ଅମିତାଭ ଦାସ ଉତ୍ସବର ଆଭିମୁଖ୍ୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜମେଣ୍ଟର ସଭାପତି ଇଂ ଅକ୍ଷୟ ପାଣି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଗରୁଡ ଚରଣ ସାହୁଙ୍କ ରଚିତ ପୁସ୍ତକ ‘କାଳିଆ ଚରଣ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ଡଃ. ମୃତ୍ୟୁଞ୍ଜୟ ରଥ, ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟ, ଶ୍ରୀଧର ବେହେରା, ବିଶ୍ୱରଞ୍ଜନ ଦାସ, ସାଲୁ ସାହୁ, ଅଂଶୁମାନ ପଟ୍ଟନାୟକ, ଗୈାତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ‘ଓଡିଆ ଗଳ୍ପ କାଲି ଓ ଆସନ୍ତାକାଲି’କୁ ଶକ୍ତି ମହାନ୍ତି ସଂଯୋଜନା କରିଥିବା ବେଳେ ବକ୍ତା ଭାବରେ ପରେଶ ପଟ୍ଟନାୟକ, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ଅରବିନ୍ଦ ଧଳ ଓ ଯଶୋବନ୍ତ ସାମଲ ଯୋଗଦେଇଥିଲେ । ‘ସେବାରୁ ସୃଜନ’କୁ ସୁନନ୍ଦା ପ୍ରଧାନ ସଂଯୋଜନା କରିଥିବା ବେଳେ ବକ୍ତା ଭାବରେ ଡା. ପ୍ରଶାନ୍ତ ଦାଶ, ଡା. ଦିଲ୍ଲି୍‌ିପ ବେହେରା ଓ ଡା. ହରିଶ ଚୈାଧୁରୀ ଯୋଗଦେଇଥିଲେ । ‘ଓଡିଆ ଶିଶୁ ସାହିତ୍ୟର ସ୍ଥିତି ସଙ୍କଟ ଓ ସମାଧାନ’କୁ ଅମିତାଭ ଖିଲାର ସଂଯୋଜନା କରିଥିବା ବେଳେ ବକ୍ତା ଭାବରେ ବଙ୍କିମ ଚନ୍ଦ୍ର ନାୟକ, ମାନସ ସାମଲ, ଶରତ ନାୟକ ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଭାବାନୀ ପ୍ରସାଦ ମହାପାତ୍ର ଓ ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଅତିଥି ଭାବେ ମନ୍ମଥ କୁମାର ବରାଳ ଓ ଡକ୍ଟର ଶ୍ରୀଧର ସାମଲ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ