କେନ୍ଦ୍ରାପଡା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ରାତ୍ରଜଗୁଆଳଙ୍କ ଅବସର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ରାତ୍ରଜଗୁଆଳ ବୀର ମାଝି ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ଏହି କାର୍ଯ୍ୟାଳୟରେ ଗତ ୧୯୯୦ମସିହା ଅପ୍ରେଲମାସ ୨୪ତାରିଖରେ ରାତ୍ରଜଗୁଆଳ ଭାବେ ଯୋଗଦାନ କରିଥିଲେ । ଶ୍ରୀ ମାଝି ଦୀର୍ଘ ୩୨ବର୍ଷରୁ ଉର୍ଦ୍ଧ୍ୱ ସମୟ ଏହି କାର୍ଯ୍ୟାଳୟରେ ତାଙ୍କର ନିରବଛିନ୍ନ ସେବା ଯୋଗାଇ ଆସିଛନ୍ତି । ତାଙ୍କର ନିଷ୍ଠାପର କର୍ତ୍ତବ୍ୟ ଓ ନିରନ୍ତର ସେବା ଯୋଗୁଁ କାର୍ଯ୍ୟାଳୟର ଅଧିକାରୀ ଏବଂ ସହକର୍ମୀଙ୍କ ନିକଟରେ ସେ ପ୍ରିୟପାତ୍ର ହୋଇପାରିଥିଲେ । ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ନିକଟରେ ସେ ଖୁବ୍ ପରିଚିତ ଥିଲେ । ପ୍ରତ୍ୟେକ ସରକାରୀ କାର୍ଯ୍ୟ ଓ ଜାତୀୟ ଉତ୍ସବ ପାଳନ ସମୟରେ ତାଙ୍କର ସମୟାନୁବର୍ତ୍ତୀ କର୍ତ୍ତବ୍ୟନିଷ୍ଠା ଓ ସହଭାଗିତାକୁ ଅବସର ଦିବସରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମନେ ପକାଇଥିଲେ । ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଅପାର କରୁଣାରୁ ତାଙ୍କର ଅବସର ପରବର୍ତ୍ତୀ ସମୟ ନିରୋଗ ଓ ସୁଖମୟ ହେଉ ଏବଂ ପରିବାର ସହ ସେ ସୁଖଶାନ୍ତିରେ ଅତିବାହିତ କରନ୍ତୁ ବୋଲି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଆଶାବ୍ୟକ୍ତ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଅବସର ଦିବସରେ ତାଙ୍କୁ ଜିଆଇଏସ ପ୍ରାପ୍ୟ ଓ ପ୍ରୋଭିଜନାଲ ପେନସନ ପେପର ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସମୟରେ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାସ, ନିକ୍ଷେପକ ମଧୁସୂଦନ ମଲ୍ଲିକ, କନିଷ୍ଠ ରାଜସ୍ୱ ସହାୟିକା ଜୟଶ୍ରୀ ସାହୁ, ତପନ କୁମାର ପରିଡା ଓ ରଞ୍ଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


