କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୦୯ ଅଧ୍ୟାପକଙ୍କ ମଧ୍ୟରୁ ଅଛନ୍ତି ୭୧
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ହୋଇଥିଲେ ସୁଦ୍ଧା ଏହି ମହାବିଦ୍ୟାଳୟରେ ବର୍ଷ ବର୍ଷ ଧରି ଅଧ୍ୟାପକ/ଅଧ୍ୟାପିକା ପଦ ଖାଲି ପଡୁଥିବାରୁ ଶିକ୍ଷାଦାନ କ୍ଷେତ୍ରରେ ଗୁରୁତର ଅବ୍ୟବସ୍ଥା ସୃଷ୍ଟି ହେଉଛି । ଦୀର୍ଘ ୫ବର୍ଷ ବ୍ୟବଧାନରେ ନୂତନ ପରିଚାଳନା କମିଟି ଗଠନ ହୋଇଥିଲେ ସୁଦ୍ଧା ଖାଲିପଡିଥିବା ଅଧ୍ୟାପକ/ଅଧ୍ୟାପିକା ପଦ ଗୁଡିକ ପୁରଣ ଦିଗରେ ଏହି କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାଣୀ ବିଜ୍ଞାନ ବିଭାଗରେ ୬ଜଣରୁ ୪ଜଣ ଅଧ୍ୟାପକ ଥିବା ବେଳେ ରସାୟନ ବିଜ୍ଞନ ବିଭାଗରେ ୧୦ରୁ ୮, ବାଣିଜ୍ୟ ବିଭାଗରେ ୧୦ରୁ ୭, ଇଂରାଜୀ ବିଭାଗରେ ୧୪ରୁ ୫ ଅଧ୍ୟାପକ ଅଛନ୍ତି । ସେହିଭଳି ଅର୍ଥନୀତି ବିଭାଗରେ ୬ରୁ ୩, ଭୂଗୋଳ ବିଭାଗରେ କେହି ନଥିବା ବେଳେ, ଇତିହାସ ବିଭାଗରେ ୪ରୁ ୨, ଗଣିତ ବିଭାଗରେ ୫ରୁ ୩, ଓଡିଆ ବିଭାଗରେ ୮ରୁ ୪, ପଦାର୍ଥ ବିଜ୍ଞାନ ବିଭାଗରେ ୧୦ରୁ ୮, ରାଜନୀତି ବିଜ୍ଞାନ ବିଭାଗରେ ୬ରୁ ୫, ମନସ୍ତତ୍ୱ ବିଭାଗରେ ୩ରୁ୨, ସଂସ୍କୃତ ବିଭାଗରେ ୩ରୁ ଜଣେ, ସାମାଜ ଶାସ୍ତ୍ର ବିଭାଗରେ ୫ରୁ ୨ ଏବଂ ପ୍ରାଣୀ ବିଜ୍ଞାନ ବିଭାଗରେ ୬ରୁ ୫ଜଣ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟରତ ଅଛନ୍ତି । ବିଭିନ୍ନ ବିଭାଗରେ ବହୁ ବର୍ଷ ଧରି ଖାଲିପଡିଥିବା ୩୮ଟି ପଦବୀ ପୁରଣ କରାଯିବା ଦିଗରେ ପରିଚାଳନା କମିଟି ଏବଂ କେନ୍ଦ୍ରାପଡ ବିଧାୟକ ଶଶି ଭୂଷଣ ବେହେରାଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ ଲଗାତର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ୱ ଦେଉନଥିବା ପୁରାତନ ଛାତ୍ରସଂସଦର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ।