କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୫ଟି ବିଷୟରେ ପିଜି ଖୋଲିବାକୁ ଅନୁମତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଆଉ ୫ଟି ବିଷୟରେ ସ୍ନାତକୋତ୍ତର (ପିଜି)ବିଷୟରେ ଏବଂ ୩ଟି ବିଷୟରେ ସ୍ନାତକ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଛି । ଏଥିସହିତ +୩କଳାରେ ସିଟସଂଖ୍ୟା ବୃଦ୍ଧି ପାଇ ୪୪୮ରେ ପହିଞ୍ଚିଛି । ପୂର୍ବରୁ ଏହି ସଂଖ୍ୟା ୩୮୪ରେ ସିମିତ ଥିବା ବେଳେ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହା ୪୪୮ ହୋଇଛି । ଅଧିକ ୧୬ସିଟ ସହ +୩ ଭୂଗୋଳ ସମ୍ନାନ ବିଷୟକୁ ସ୍ଥାୟୀ ଅନୁମତି ମିଳିଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ମହାବିଦ୍ୟାଳୟର ସ୍ନାତକୋତ୍ତର କଳା(ଏମଏ)ହିନ୍ଦୀ, ଇଂରାଜୀ, ସ୍ନାତକୋତ୍ତର ବିଜ୍ଞାନ (ଏମଏସସି) ରେ ଗଣିତ, ଉଭିଦ୍ଦ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ବିଷୟରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯିବ । ଏଥିସହ +୩ରେ ବିସିଏ(କମ୍ପ୍ୟୁଟର ବିଜ୍ଞାନ ସ୍ନାତକ) ବି.ଲିବ ଏଣ୍ଡ ଇନଫରମେସନ ସାଇନ୍ସ(ପାଠାଗାର ଓ ସୂଚନା ପ୍ରଯୁକ୍ତି ବିଦ୍ୟାରେ ସ୍ନାତକ), ହୋମ ସାଇନ୍ସ(ଗୃହ ବିଜ୍ଞାନ) ପାଠ୍ୟକ୍ରମ ନିମନ୍ତେ ଅନୁମତି ମିଳିଛି । ପିଜି ଓ +୩ରେ ନୂଆ ଖୋଲିବାକୁ ଥିବା ପାଠ୍ୟକ୍ରମରେ ପ୍ରତ୍ୟେକଟିରେ ୩୨ଟି ଲେଖାଁଏ ସିଟ ପାଇଁ ଅନୁମତି ମିଳିଛି । ମହାବିଦ୍ୟାଳୟ ପକ୍ଷରୁ ଏନେଇ ଆବେଦନ କରାଯିବା ପରେ ଯୁଗ୍ମ ତଦନ୍ତ କମିଟି ପକ୍ଷରୁ ଅନୁଧ୍ୟାନ କରାଯାଇ ଅନୁମୋଦନ ମିଳିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନୂଆ ବିଷୟରେ ପିଜି ଓ ସ୍ନାତକ ପାଠ୍ୟକ୍ରମ ଖୋଲିବା, +୩ କଳାରେ ସିଟ ସଂଖ୍ୟା ବଢିବା ଓ ଭୁଗୋଳ ସମ୍ମାନ ବିଷୟକୁ ସ୍ଥାୟୀ ଅନୁମତି ମିଳିବା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଧଯୟାପକ ଓ ଅଧ୍ୟାପିକାମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିଲା ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ