କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓପାକ୍ ପକ୍ଷରୁ ପୁସ୍ତକ ବଣ୍ଟନ କ୍ୟାରିଅର ଗାଇଡାନ୍ସ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ପବ୍ଲିକ ଆକ୍ସନ କଲେକ୍ଟିଭ୍(ଓପାକ୍) ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁନର୍ବାର ପୁସ୍ତକ ବଣ୍ଟନ ଓ କ୍ୟାରିଅର ଗାଇଡାନ୍ସ କାର୍ଯ୍ୟକ୍ରମ ବାଣିଜ୍ୟ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓପାକ୍ର ନିରନ୍ତର ପ୍ରୟାସର ଏକ ଅଂଶ ଯାହାକି ଛାତ୍ରାଛାତ୍ରୀମାନଙ୍କୁ ବିଭିନ୍ନ କ୍ୟାରିଅର ଗଠନ କରିବାରେ ବିକଳ୍ପ ଅନୁସରଣ କରିବାକୁ ସହାୟତା କରିଥାଏ । ଓପାକ୍ ସଂସ୍ଥାର ମୁଖ୍ୟ ତଥା ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ର ଶୁଭଙ୍କର ନାୟକଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟାପକ ଡଃ. ସମ୍ବିତ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ଗଠନର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଅବଗତ କରାଇଥିଲେ ଏବଂ ଓପାକ୍ ପକ୍ଷରୁ ଏହିଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ତାର ଭୂୟଶୀ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ବରିଷ୍ଠ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ସାମ୍ନାରେ ବଡ ଲକ୍ଷ୍ୟ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଶୁଭଙ୍କର ନାୟକ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସାମୁହିକ ସଫଳତା ଉପରେ ଧ୍ୟାନ ଦେବା ଉପରେ ପରାମର୍ଶ ଦେଇଥିଲେ । ଏଥିସହିତ କ୍ୟାରିଅର ପରାମର୍ଶ ଏବଂ ଦକ୍ଷତା ବିକାଶ ଉପରେ ନିଆଯାଇଥିବା ଓପାକ୍ର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀ ନାୟକ ସମସ୍ତ ଛାତ୍ରଛାତ୍ରୀ ଓପାକ୍ ଦ୍ୱାରା ବାଣିଜ୍ୟ ବିଭାଗକୁ ପ୍ରଦାନ କରାଯାଇଥିବା ପୁସ୍ତକ ସମୁହର ଲାଭ ନେବା ନିମନ୍ତେ ପରାମର୍ଶ ପ୍ରଦାନ ସହ ମହାବିଦ୍ୟାଳୟରଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ତାଙ୍କର ଏଭଳି ପ୍ରୟାସ ଜାରି ରହିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ବାଣିଜ୍ୟ ବିଭାଗ ମୁଖ୍ୟ ଡଃ. ଜ୍ଞାନରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିକାଶ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ । ବାଣିଜ୍ୟ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେଇ କ୍ୟାରିଅର ଗଠନ ସମ୍ପର୍କରେ ଅତିଥିମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ୱାରା ବେଶ୍ ଆଦୃତ ଓ ପ୍ରଶଂସନୀୟ ହୋଇଥିଲା । ଅଧ୍ୟାପକ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଭବ କୁମାର ମହାନ୍ତି, ଡଃ. ସୁରେଶ ଚନ୍ଦ୍ର ଦାସ, ରଞ୍ଜିତା ଗଡସରା ଏବଂ ୱାଇ ପଦ୍ମାବତୀ ପ୍ରମୁଖ ଉପସ୍ଥିତ ଥିଲେ । ଓପାକ୍ର ସ୍ୱେଚ୍ଛାସେବୀ ସୋନାଶିଷ୍ ଜେନା, ସୌମ୍ୟରଞ୍ଜନ ଦାସ, ଖୁର୍ସିଦ୍ ଜାହାଙ୍ଗିର, ସାହିଲ ବେହେରା, ଆଶିଷ ତ୍ରିପାଠୀ, ଦେବାଶିଷ ଲେଙ୍କା, ସାଇ ଆଶିଷ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।