କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏକାଡେମିକ ବିଲଡିଂ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ନିର୍ମିତ ଏକାଡେମିକ ବିଲଡିଂ ଗୁରୁବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ଏକାଡେମିକ ବିଲଡିଂର ଶୁଭ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଏକାଡେମିକ ବିଲଡିଂ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ କେନ୍ଦ୍ରାପଡା ମାଟି ବିଜୁ ପଟ୍ଟନାୟକଙ୍କ ମାଟି । ଆମର ଛାତ୍ରଛାତ୍ରୀମାନଙ୍କ ଦେହରେ ବିଜୁବାବୁଙ୍କ ରକ୍ତ ପ୍ରବାହିତ ହେଉଛି । ନବୀନବାବୁ ଯେଉଁ ଦିନ ଠାରୁ ଓଡିଶାର ଦାୟୀତ୍ୱ ନେଇଛନ୍ତି ସେବେ ଠାରୁ ଶିକ୍ଷାର ବିକାଶ ଆରମ୍ଭ ହୋଇଛି । ରାଜ୍ୟରେ ନବୀନବାବୁ ଦାୟୀତ୍ୱ ନେବା ସମୟରେ ରାଜ୍ୟର ମୋଟ ବଜେଟ ୧୧ଶହ ୮କୋଟି ଟଙ୍କା ଥିବା ବେଳେ ଆଜି ରାଜ୍ୟର ବଜେଟ ୨ଲକ୍ଷ ୮୦କୋଟି ଟଙ୍କା । ନବୀନବାବୁଙ୍କ ଯୋଗୁଁ ଖାଦ୍ୟ ସୁରକ୍ଷାରେ ଆମ ରାଜ୍ୟ ଓଡିଶା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ ମଡେଲ ହୋଇପାରିଛି ବୋଲି ମନ୍ତ୍ରୀ କହିଥିଲେ । ୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ ପରେ ଏହି ମହାବିଦ୍ୟାଳୟକୁ ୨କୋଟି ୭୫ଲକ୍ଷ ଟଙ୍କାର ଅନୁଦାନ ମିଳିପାରିଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏକ ବାତାନୁକୂଳିତ ଅଡିଟୋରିୟମ ନିର୍ମାଣ ପାଇଁ ତୁରନ୍ତ ଅଟ୍ଟକଳ କରି ବିଭାଗକୁ ପଠାନ୍ତୁ ତାହାକୁ ମଞ୍ଜୁର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଛି । ଯେଉଁଥିରେକି ଆମ ଜିଲ୍ଲାର ବେକାର ଯୁବକ/ଯୁବତୀମାନେ ନିଯୁକ୍ତି ସୁଯୋଗ ପାଇବେ । ନୂତନ ପିଢୀ ଗାନ୍ଧୀଙ୍କ ଦର୍ଶନରେ ଅନୁପ୍ରାଣିତ ହେବାକୁ ମନ୍ତ୍ରୀ ଶ୍ରୀ ନାୟକ ଆହ୍ୱାନ ଦେବାସହ ରାଜ୍ୟର ଟପ୍ପରମାନଙ୍କ ଭିତରେ ଆମ ଜିଲ୍ଲାର ପିଲାମାନେ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାୟକୁ ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରୟାସ ଆରମ୍ଭ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଡା. ବାସୁଦେବ ପାତ୍ର, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ପରିଷଦ ସଦସ୍ୟ ଅଧ୍ୟାପକ ଅଜୟ ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଅଜୟ ରାଉତ, ଶିକ୍ଷାବିତ ଭଜକୃଷ୍ଣ ରାଉତ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ବିଜେଡି ପକ୍ଷରୁ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଗରାପୁର ଡାକ ବଙ୍ଗଳା ଠାରୁ ଏକ ବର୍ଣ୍ଣାଢ୍ୟ ବାଇକ ଶୋଭାଯାତ୍ରାରେ କେନ୍ଦ୍ରାପଡା କଲେଜ ପରିସରକୁ ପାଛୋଟି ଅଣାଯାଇଥିଲା ଓ ପରେ କେନ୍ଦ୍ରାପଡା କଲେଜରୁ ତୁଳସୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମଧ୍ୟ ବାଇକ ଶୋଭାଯାତ୍ରାରେ ନିଆଯାଇଥିଲା । ଏଥିସହିତ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଛାତ୍ର ବିଜେଡି ପକ୍ଷରୁ ଉଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ