କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୋଟି କୋଟି ଟଙ୍କାର ଦୁର୍ନୀତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅପାରଗ ଓ ଅଥର୍ବ ପରିଚାଳନା ପରିଷଦ ଯୋଗୁଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା ନିମନ୍ତେ ଗଠନ କରାଯାଇଥିବା ଗଭର୍ଣ୍ଣି ବୋର୍ଡରେ ଯେଉଁମାନଙ୍କୁ ରଖାଯାଇଛି ସେମାନେ ଆଜି ସୁଦ୍ଧା ଥରକ ପାଇଁ ମଧ୍ୟ ମହାବିଦ୍ୟାଳୟ ପରିସରକୁ ପରିଦର୍ଶନରେ ଆସି ବିଭିନ୍ନ ବିଭାଗ ବୁଲି ଭଲ ମନ୍ଦ ବୁଝିବା ସମ୍ଭବ ହୋଇପାରିନାହିଁ । ପରିଚାଳନା ପରିଷଦର ସଭାପତି ଥିବା ଡା. ବାସୁଦେବ ପାତ୍ରଙ୍କୁ ୮୬ରୁ ଉର୍ଦ୍ଧ୍ୱ ବୟସ ହୋଇଥିବା ବେଳେ ସେ ନିଜେ ନିଜର କାର୍ଯ୍ୟ କରିବାକୁ ଅକ୍ଷମ ହୋଇଥିବା ବେଳେ ତାଙ୍କୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଭଳି ଓଡିଶାର ସର୍ବବୃହତ ବେସରକାରୀ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଭାବେ ରଖାଯାଇଛି । ତାଙ୍କ ପଟ୍ଟାମୁଣ୍ଡାଇସ୍ଥିତ ବାସଭବନକୁ ନିଆଯାଉଥିବା ସମସ୍ତ କଲେଜ କାଗଜପତ୍ରରେ ବିନା ତନଖିରେ ସେ କେବଳ ସ୍ୱାକ୍ଷର କରିଦେଉଥିବା ଅଭିଯୋଗ ହୋଇଛି । ସେହିଭଳି ମହାବିଦ୍ୟାଳୟ ପରିଚାଳନା ପରିଷଦରେ ସଦସ୍ୟ ଥିବା ଜନୈକ ଅଧ୍ୟାପକ ଏହି ମହାବିଦ୍ୟାଳୟର ଆଜବେଷ୍ଟସ ଘର ଭଙ୍ଗା ଯିବା ପରେ ସେହି ଗୃହରୁ ବାହାରିଥିବା ସମସ୍ତ କାଠ ଓ ଲୁହାର ବଟମ ସବୁକୁ ବିନା ନିଲାମରେ ନିଜ ଘରକୁ ନେଇଆସିଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏହି ପରିଚାଳନା ପରିଷଦ କାର୍ଯ୍ୟ କରୁଥିବା ବେଳେ ମହାବିଦ୍ୟାଳୟ ଆଭ୍ୟନ୍ତରୀୟ ରାସ୍ତା ନିର୍ମାଣରେ ୩୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମିଥ୍ୟା ଭାଉଚର କରି ତୋଷରପାତ କରାଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ବିନା ଟେଣ୍ଡରରେ ୨କୋଟିରୁ ଅଧିକ ଟଙ୍କାର ସରକାରୀ ଅନୁଦାନରେ ବିଭିନ୍ନ ସାମଗ୍ରୀ କିଣାଯାଇଥିବା ବେଳେ ନାକ ପ୍ରସ୍ତୁତି ନାମରେ ଏକ ନାମୀଦାମୀ କମ୍ପାନୀ ନାମରେ କିଣାଯାଇଥିବା ଲାପଟପ୍ ଗୁଡିକ ଆସେମ୍ବ୍ଲିଂସେଟ ବୋଲି ଅଭିଯୋଗ ହୋଇଛି । ଏହାବ୍ୟତିତ କଲେଜ କ୍ୟାମ୍ପସକୁ ୱାଇଫାଇ କରିବା ନାମରେ ୨୫ଲଙ୍କ ଟଙ୍କା ଚଳୁ କରାଯାଇଥିବା ବେଳେ ମହାବିଦ୍ୟାଳୟର ବଗିଚା ପାଚେରୀ ନିର୍ମାଣ ନାମରେ ୫ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଏବଂ ଉଭିଦ୍ଦ ବିଜ୍ଞାନ ବିଭାଗ ମରାମତି ନାମରେ ୮ଲକ୍ଷ ଟଙ୍କା ତୋଷରପାତ ହୋଇଥିବା ଅଭିଯୋଗ ହୋଇଛି । ସେହିଭଳି ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ, ପରିସଂଖ୍ୟାନ ବିଭାଗ ଭଳି ବିଭିନ୍ନ ବିଭାଗର ଗୃହ ମରାମତି ନାମରେ ପ୍ରାୟ ୭୦ଲକ୍ଷରୁ ଅଧିକ ଅର୍ଥ ତୋଷରପାତ କରାଯାଇଥିବା ବେଳେ ମହାବିଦ୍ୟାଳୟର କନଫରେନ୍ସହଲ ମରାମତି ନାମରେ ୨୦୧୯ରୁ ଅଦ୍ୟାବଧି ତିନିଥର ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟବରାଦ କରାଯାଇ ଲକ୍ଷାଧିକ ଟଙ୍କା ତୋଷରପାତ କରାଯାଇଥିବା ସହ ସେହି ହଲରେ ଥିବା ଏସି, ଫ୍ୟାନ, ବଲ୍ୱ,ଚେଆର ପ୍ରଭୃତି ସେଠାରୁ ଉଠାଇ ନିଆଯାଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ସେହିଭଳି ମହାବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅର୍ଥରେ ନିର୍ମିତ ଗାନ୍ଧିଭବନ ଉଦଘାଟନୀ ଉତ୍ସବରେ କଲେଜ ପାଣ୍ଠିରୁ ୨ଲକ୍ଷ ଖର୍ଚ୍ଚ କରାଯାଇଥିବା ନେଇ ମିଥ୍ୟା ଭାଉଚର ପ୍ରସ୍ତୁତ କରି ସଂପୂର୍ଣ୍ଣ ଅର୍ଥ ତୋଷରପାତ ସହିତ ବୃକ୍ଷରୋପଣ ନାମରେ ୪୦ଟି ଚାରାଗଛ ପାଇଁ ଜନପ୍ରତିନିଧିଙ୍କ ଦ୍ୱାରା ପ୍ରେରିତ ବ୍ୟକ୍ତିଙ୍କୁ ୬୦ହଜାର ଟଙ୍କା କଲେଜ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଭଳି ବହୁ ଅଭିଯୋଗ ରହିଛି । ଏତଦବ୍ୟତିତ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଏକ ନିର୍ଦେଶ ବଳରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା (ନଂ- ୩୩୦୪୭/ଏଚଇ)ନିର୍ଦେଶନାମାକୁ ଅଣଦେଖା କରାଯାଇ +୨ କଲେଜରେ ଚାକିରୀ ଆରମ୍ଭ କରି ପରବର୍ତ୍ତୀ ସମୟରେ ଏହି କଲେଜକୁ ବଦଳି ହୋଇ ଆସିଥିବା ଅଧ୍ୟାପକ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ଆର୍ଥିକ ଅନିୟମିତତା ତଦନ୍ତ ରିପୋର୍ଟ ଥିବା ଅଧ୍ୟାପକଙ୍କୁ କଲେଜ ପରିଚାଳନା ପରିଷଦର ସୁପାରିଶ କ୍ରମେ ଆସନ୍ତା ଡିସେମ୍ବର ପହିଲାରେ ଏହି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ପ୍ରଦାନ କରାଯାଇଛି । ମହାବିଦ୍ୟାଳୟ ପରିସରରେ ଥିବା ୪ଟି ଛାତ୍ରୀନିବାସ ଏବଂ ଗୋଟିଏ ଛାତ୍ରାବାସ ନିମନ୍ତେ ପ୍ରତ୍ୟେକ ବର୍ଷ ଆଦାୟ ହେଉଥିବା ପ୍ରାୟ ୨କୋଟିରୁ ଅଧିକ ଅର୍ଥର କୈାଣସି ହିସାବ କଲେଜ ପରିଚାଳନା ପରିଷଦ ବୈଠକର ବିନା ମଞ୍ଜୁରୀରେ ଖର୍ଚ୍ଚ କରାଯାଇଥିବା ବେଳେ ସେଥିରୁ କୋଟିଏରୁ ଅଧିକ ଅର୍ଥ ପ୍ରତ୍ୟେକ ବର୍ଷ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ବିଗତ ୨୦୧୯ମସିହାରୁ ଅଦ୍ୟାବଧି ଏହି ମହାବିଦ୍ୟାଳୟରେ ପ୍ରାୟ ୫୦କୋଟିରୁ ଅଧିକ ଟଙ୍କାର ଦୁର୍ନୀତି କରାଯାଇଥିବା ବେଳେ ସେଥିରେ ସଂମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଜଣଙ୍କ ପରେ ଜଣଙ୍କୁ କଲେଜ ଅଧ୍ୟକ୍ଷ ପଦ ସମର୍ପି ଦିଆଯାଉଥିବା ପୁରାତନ ଛାତ୍ର ମାନେ ଅଭିଯୋଗ କରିଛନ୍ତି । ଓଡିଶାର ସର୍ବବୃହତ ବେସରକାରୀ ମହାବିଦ୍ୟାଳୟ ଭାବେ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏସବୁ ଦୁର୍ନୀତି ଓ ଅପାରଗ ତଥା ଅଥର୍ବ ପରିଚାଳନା ପରିଷଦ ହାତରୁ ବଞ୍ଚାଇବାକୁ ଯଦି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ମହାବିଦ୍ୟାଳୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ପୁରାତନ ଛାତ୍ରମାନଙ୍କ ପକ୍ଷରୁ ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ପ୍ରଦିପ ସାହୁ, ଦୈତାରୀ ସେଠୀ, ବିଶ୍ୱଜିତ ଦାସ,ପ୍ରତାପ ମହାନ୍ତି, ଶରତ ସିଂ, ଚିନ୍ମୟ ବଳ, ସତ୍ୟରଞ୍ଜନ ସେନାପତି, ବରଦାପ୍ରସନ୍ନ ମହାନ୍ତି, ମନୋରଞ୍ଜନ ପାତ୍ର ପ୍ରମୁଖ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।