କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗ ମୁଖ୍ୟଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଅଣଛାତ୍ରଙ୍କ ଧମକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମିଶ୍ରଙ୍କୁ କଲେଜ ପରିସରରେ ଥିବା ବିଭାଗ କାର୍ଯ୍ୟାଳୟରେ କେତେକ ଅଣଛାତ୍ର ପଶି କଲେଜ ଅଧ୍ୟକ୍ଷ ନିଯୁକ୍ତି ସଂକ୍ରାନ୍ତୀୟ ହାଇକୋର୍ଟରେ ବିଚାରାଧୀନ ଥବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସଂପୃକ୍ତ ବିଭାଗୀୟ ମୁଖ୍ୟ ପ୍ରଫେସର ମିଶ୍ର ବର୍ତ୍ତମାନର ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କୁ ଲିଖିତ ଭାବେ ସମସ୍ତ ଘଟଣା ଜଣାଇଥିଲେ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସ ସେ ସମ୍ପର୍କରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ପ୍ରଫେସର ମିଶ୍ର କହିଛନ୍ତି । ଘଟଣା ଅନୁଯାୟୀ ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପ୍ରଫେସର ମିଶ୍ର ମହାବିଦ୍ୟାଳୟ ପରିସରରେ ଥିବା ଗଣିତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ହଠାତ୍ ୫/୭ଜଣ ଅଣଛାତ୍ର ବିଭାଗ କାର୍ଯ୍ୟାଳୟ ଭିତରେ ପଶି ପ୍ରଫେସର ମିଶ୍ରଙ୍କୁ ବାହାରକୁ ଡାକିଥିଲେ । ପ୍ରଫେସର ମିଶ୍ର ସେହି ସମୟରେ କ୍ଲାସ ନେବାକୁ ଶ୍ରେଣୀକକ୍ଷକୁ ଯିବାର ଥିବାରୁ ସେ କାର୍ଯ୍ୟାଳୟ ବାହାରକୁ ଯିବାକୁ ମନାକରିଦେଇଥିଲେ । ଏହାପରେ ସେହି ଅଣଛାତ୍ରମାନେ ପ୍ରଫେସର ମିଶ୍ରଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାଏର କରିଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ବିଭିନ୍ନ ପ୍ରକାର ଧମକଚମକ ଦେବା ସହିତ ଗାଳିଗୁଲଜ କରିଥିବା ପ୍ରଫେସର ମିଶ୍ର କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ଲିଖିତ ଭାବେ ଜଣାଇବା ସହିତ କଲେଜ ଷ୍ଟାଫ ଆସୋସିଏସନର ସଭାପତିଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଇଥିଲେ । କିନ୍ତୁ ଅଦ୍ୟାବଧି ପ୍ରଫେସର ମିଶ୍ରଙ୍କ ସେହି ଅଭିଯୋଗ ଉପରେ କଲେଜ ଅଧ୍ୟକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଶ୍ର କହିଛନ୍ତି । ଏସମ୍ପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ମତାମତ ପଚରାଯିବାରେ ସେ କହିନ୍ତି ଯେ ମୁଁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ପ୍ରଫେସର ମିଶ୍ରଙ୍କ ଅଭିଯୋଗ ପଢିପାରିନଥିଲି ଏବେ ସେହି ଅଭିଯୋଗ ଉପରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ । ଏଠାରେ ସୂଚନା ଯୋଗ୍ୟ ଯେ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଓ ଅନ୍ୟଜଣେ ଅଧ୍ୟକ୍ଷ ଆଶାୟୀ ଥିବା ଜଣେ ଅଧ୍ୟାପକ କେତେକ ଅଣଛାତ୍ରଙ୍କୁ ଲଗାଇ ଏଭଳି କାର୍ଯ୍ୟ କରିଥିବା କଲେଜ ପରିସରରେ ଆଲୋଚନା ହେଉଛି ।